୩୨ ବର୍ଷ ଧରି ମୂର୍ତ୍ତି ନିର୍ମାଣ କରୁଛନ୍ତି ମହିଳା ଶିଳ୍ପୀ ଲିଲି ମହାପାତ୍ର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଆଜିକାଲି ନୁହଁ ଦୀର୍ଘ ୩୨ ବର୍ଷ ଧରି ମୂର୍ତ୍ତି ନିର୍ମାଣ କରୁଛନ୍ତି ଜଣେ ସଫଳ ମହିଳା ଶିଳ୍ପୀ ଲିଲି ମହାପାତ୍ର । ନୟାଗଡ଼ ଜିଲ୍ଲାର ବାଙ୍କତରାରେ ତାଙ୍କର ଜନ୍ମ । ଧରାକୋଟ ଗଡର କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ବିବାହ ପରେ ତାଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିଥିଲା । ଶାଶୁ ଶଶିକଳା ମହାପାତ୍ର, ଶଶୁର ଯୋଗେନ୍ଦ୍ର ମହାପାତ୍ର ଘରେ ମାଟି କଣ୍ଢେଇ, ଚଢେଇ, ଶୁଆ, ସାରି ସାଙ୍ଗକୁ ବିଭିନ୍ନ ଦେବା ଦେବୀଙ୍କ ମାଟି ଓ ଗୋବର ମୂର୍ତ୍ତି ନିର୍ମାଣ କରିଥିଲେ । ସେମାନଙ୍କ ପ୍ରେରଣା ଓ ସ୍ବାମୀ କିଶୋରଙ୍କ ସହଯୋଗରେ ସେ ଶିଖିଲେ ମୂର୍ତ୍ତି ଗଢିବାର କଳା । ତାଙ୍କୁ ବର୍ତ୍ତମାନ ୫୦ ବର୍ଷ ହୋଇଥିଲେ ମଧ୍ୟ ଦୀର୍ଘ ୩୨ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ନିଜେ ଗଣେଶ, ସରସ୍ଵତୀ ଓ ବିଶ୍ଵକର୍ମା ମୂର୍ତ୍ତି ନିର୍ମାଣ କରୁଛନ୍ତି । ଛାଞ୍ଚ ପ୍ରସ୍ତୁତି କରି ସେଥିରେ ମାଟି, କପଡା ଓ ପାଳର ମିଶ୍ରଣ ଦେଇ ରଖିବା ପରେ ମୂର୍ତ୍ତି ନିର୍ମାଣ ହୁଏ । ଏହା ପରେ ତାକୁ ଶୁଖାଇ ଆକର୍ଷଣୀୟ ରଙ୍ଗ ଦିଆଯାଏ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂଲ୍ୟ ନିର୍ଧାରଣ କରି ବିକ୍ରି କରାଯାଏ । ତାଙ୍କସହ ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଆଲୋଚନା ବେଳେ ପରିବାରର ଏହା କୌଳିକ ବୃତି । ଏଣୁ ଏହାକୁ ବଞ୍ଚାଇ ରଖିଛୁ ଏବଂ ଏଥିରେ ଆତ୍ମ ସନ୍ତୋଷ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କୁ ଏହି କାର୍ଯ୍ୟରେ ସ୍ବାମୀ କିଶୋର, ଦୁଇ ପୁଅ ସିଲୁ, ଶାନ୍ତନୁ ଓ ଝିଅ ସୁଲତା ସହଯୋଗ ପ୍ରଦାନ କରୁଛନ୍ତି । ଏଣୁ ମୋ ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ ସଫଳ କାରିଗର ହୋଇଥିବାରୁ ବେଶ ଆତ୍ମ ସନ୍ତୋଷ ଲାଗୁଛି । ଧରାକୋଟ ବଡ଼ଦାଣ୍ଡ ସାହିରେ ନିଜ ଶାଶୁଘର ହୋଇଥିଲେ ମଧ୍ୟ ବର୍ତ୍ତମାନ ମୁଣ୍ଡମରାଇ ନୂଆସାହିରେ ତାଙ୍କ ପରିବାର ସ୍ଥାୟୀ ଭାବରେ ବସବାସ କରୁଛନ୍ତି । ସଫଳ ଶିଳ୍ପୀ ଭାବରେ ତାଙ୍କ ପରିବାର ଅଞ୍ଚଳରେ ବେଶ ପରିଚିତ ।