ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଦିନେ ନୁହେଁ ସବୁଦିନ ଯାତାୟାତ ବେଳେ ଟେନସନରେ ଲୋକଙ୍କୁ ରହିବାକୁ ପଡୁଛି ଜାତୀୟ ରାଜପଥ ୫୯କୁ ନେଇ । ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ର କାଳଷଣ୍ଢ ପୁର ଠାରୁ ଗୋଲା ଦାମୋଦର ପଲି ପର୍ଯ୍ୟନ୍ତ ତିନି କିମି ରାସ୍ତା କଥା କହିଲେ ନସରେ । ବ୍ରହ୍ମପୁର ଠାରୁ ଆସିକା ଦେଇ ଧରାକୋଟ, ସୋରଡ଼ା, ଦାରିଂବାଡି, ବାଲିଗୁଡା ଯିବାପାଇଁ ପ୍ରତିଦିନ ଲୋକେ ବିଭିନ୍ନ ଗାଡି ମଟରରେ ଏହି ରାଜପଥ ୫୯ ଉପରେ ନିର୍ଭର କରିଥାଆନ୍ତି । ହେଲେ ଦୀର୍ଘ ଚାରି ବର୍ଷ ପୂର୍ବରୁ ଏକ ନିର୍ମାଣକାରି ସଂସ୍ଥା ଏହି ରାଜପଥ ନିର୍ମାଣ ପାଇଁ ଠିକା ନେଇ ଜାତୀୟ ରାଜପଥ ବିଭାଗ ସହ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ସରିନାହିଁ । ସଂପୃକ୍ତ ତିନି କିମି ରାସ୍ତା ମଧ୍ୟରେ କାଳଷଣ୍ଢ ପୁର ଓ ଗୋଲା ଦାମୋଦର ପଲି ଗାଁ ରହିଛି । ବର୍ତମାନ ସୁଦ୍ଧା ଉଭୟ ଗାଁରେ ରାସ୍ତାର ଦୂଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ ହୋଇନାହିଁ । ଏଣୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯାହା ଫଳରେ ରାସ୍ତା ସାରା ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ନିତିଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ବ୍ରହ୍ମପୁର ଜାତୀୟ ରାଜପଥ ଡ଼ିଭିଜନ ଅଧୀନରେ ଏହି ଅଞ୍ଚଳ ଆସୁଛି । ଏହାର ତଦାରଖ ପାଇଁ ଆସିକାର ସୋରଡ଼ାରେ ସେକ୍ସନ କାର୍ଯ୍ୟଳୟ ରହିଛି । ପ୍ରତିବର୍ଷ ମେନଟେନେନ୍ସ ନାମରେ ରାସ୍ତା ପର୍ଶ୍ୱର ଲତା ବୁଦା ସଫା ଓ ପଟହୋଲ ମାରିବା ନାମରେ ବିଭାଗୀୟ ଅଧିକାରୀମାନେ ହାତ ଚିକଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏହି ତିନି ରାସ୍ତାର ଠିକଣା ଭୁଲି ଯାଉଥିବା ଭଳି ମନେ ହେଉଛି । ସଂପୃକ୍ତ ଦୁଇଟି ଗାଁର ଲୋକେ ବର୍ଷାଦିନେ କର୍ଦମାକ୍ତ ପରିବେଶରେ ରହି ଅଣ ନିଶ୍ୱାସି ହୋଇପଡ଼ିଲେଣି । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା କାରଣରୁ ସଂପୃକ୍ତ ଅଞ୍ଚଳରେ ଖାଲ ଖମା ହୋଇ ମସା, ମାଛି ବଂଶ ବିସ୍ତାର କରୁଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଂକା ଦେଖା ଦେଲାଣି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିବା ବେଳେ ଫୋନ ଉଠାଉନାହାନ୍ତି । ସରକାର ସଡ଼କ ସୁରକ୍ଷା ଜୀବନ ରକ୍ଷା ଡାକ ଦେବା ସହ ଉତ୍ତମ ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ତିନି କିମି ରାସ୍ତା ନିର୍ମାଣ ପାଇଁ ରାଜପଥ ବିଭାଗ କାହିଁକି ପଛୁଆ ହେଉଛି ତାହା ସାଧାରଣ ଲୋକ ଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।