ଦୁର୍ଘଟଣାରୁ ରକ୍ଷା ପାଇବେ ଗାଈଗୋରୁ, ବେକରେ ରେଡିୟମ ବେଲ୍ଟ ବାନ୍ଧିଲା ‘ବିପଦର ବନ୍ଧୁ’….

ଭଞ୍ଜନଗର(ନିଲୁ ବିଷୋୟୀ): ରାସ୍ତାଘାଟରେ ଅବାଧରେ ଗାଇ ଗୋରୁମାନେ ବୁଲୁଥିବା ବେଳେ ଅନେକ ସମୟରେ ସେମାନଙ୍କ ପାଇଁ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ଯାନବାହାନ ହଠାତ ଗାଇଗୋରୁଙ୍କୁ ଧକ୍କା ହେବା ଫଳରେ ମଧ୍ୟ ସେମାନଙ୍କୁ ଆଘାତ ପହଞ୍ଚୁଥିବା ନଜିର ରହିଛି । ତେବେ ଏଭଳି ପରିସ୍ଥିତିରେ ସହରର ଏଣେତେଣେ ରାସ୍ତାରେ ବୁଲୁଥିବା ଗାଇଗୋରୁଙ୍କ ସୁରକ୍ଷା ପାଇଁ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ବୁଲି ଏଭଳି ବୁଲୁଥିବା ଗାଇଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଛନ୍ତି । ଫଳରେ ରାତିରେ ଯାନବାହାନ ଚଳାଚଳ ସମୟରେ ଗାଡିର ଲାଇଟ୍ ଉକ୍ତ ବେଲ୍ଟ ଉପରେ ପଡିଲେ ତାହା ଆଲୋକିତ ହେବା ଫଳରେ ଦୂରରୁ ଚାଳକମାନେ ଗାଇଗୋରୁ ରହିଥିବା ଜାଣିବାକୁ ପାଇ ପାରିବେ ଏବଂ ସୁରକ୍ଷିତ ଭାବେ ଯାତାୟତ କରି ପାରିବେ । ଫଳରେ ଉଭୟ ଗାଡି ଚାଳକ ଓ ଗାଇଗୋରୁଙ୍କ ସୁରକ୍ଷା ହୋଇ ପାରିବ ବୋଲି ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଚ୍ଛା ପ୍ରକାଶ କରିଛନ୍ତି । ଅନେକ ସମୟରେ ବାଇକ ଚାଳକ ମାନେ ହଠାତ୍ ଗାଇଗୋରୁ ସାମ୍ନାକୁ ଆସିଗଲେ ତଳେ ପଡି ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କ ଦେହରେ ମଧ୍ୟ ଆଘାତ ଲାଗୁଥିଲା । ତେଣୁ ଗରୀବ ଅସହାୟ ଦୁଖି ଲୋକଙ୍କ ପାଇଁ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ବାରା ହେଉଥିବା ଅର୍ଥ ଆଦାୟରୁ କିଛି ଟଙ୍କାରେ ଏଭଳି ବେଲ୍ଟ କିଣି ଗାଇଗୋରୁଙ୍କୁ ପିନ୍ଧାଇବା ପାଇଁ ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ଟି ଗାଇଗୋରୁଙ୍କ ଦେହରେ ଏଭଳି ବେଲ୍ଟ ପିନ୍ଧା ଯାଇଥିବା ବେଳେ ଆସନ୍ତା ଦିନରେ ସହରର ପ୍ରାୟ ସମସ୍ତ ବୁଲା ଗାଇ ଗୋରୁଙ୍କୁ ଏଭଳି ରେଡିୟମ ବେଲ୍ଟ ପିନ୍ଧାଇବାକୁ ନିଷ୍ପତି ନେଇଥିବା ଶ୍ରୀ ପରିଚ୍ଛା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିବା ସହ ମେଡିକାଲ ଛକ, ହନୁମାନ ମନ୍ଦିର ଛକ, ଖାଲାସି ସାହି ଆଦି ସ୍ଥାନରେ ବୁଲୁଥିବା ଗାଇଗୋରୁଙ୍କୁ ଏଭଳି ବେଲ୍ଟ ପିନ୍ଧାଇଥିବା କହିଛନ୍ତି । ଗରୀବ ଲୋକଙ୍କୁ ସହଯୋଗର ହାତ ବଢାଇବା ସହ, ରକ୍ତଦାନ, ଅର୍ଥ ଅଭାବରୁ ଶିକ୍ଷାଗ୍ରହଣରୁ ବଞ୍ଚିତ ପିଲାଙ୍କୁ ପାଠ ପଢାଇବା, ଚାରା ରୋପଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନର ଏଭଳି ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।