ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେବ ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ୍ ଚଢାଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍ସୁଗାର୍ ଜବତ କରିଛି । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି । ଏହି ବେଆଇନ୍ କାରବାରରେ ସମ୍ପୁକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଇଲାକାର ରାକେଶ କୁମାର ବେହେରା, ଭଞ୍ଜନଗର ଥାନା ଅଞ୍ଚଳର ଅମୀୟ ରଂଜନ ମହାନ୍ତି ଓ ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା । ଏଥି ସହ ସେମାନଙ୍କ ନିକଟରୁ ନଗଦ ୨,୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅତିରିକ୍ତ ଏସପି ଶ୍ରୀ ଦେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ସୁଚନା ଦେଇଛନ୍ତି । ସୂଚନାନୁସାରେ, ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନ୍ସୁଗାର୍ ଆସୁଥିବା ବେଳେ ସହର ଉପକଣ୍ଠ ଓ ମଧ୍ୟ ଭାଗରେ ସକାଳୁ ବିଳମ୍ବିତ ରାତି ଯାଏଁ ଏହି ନିଶା ବେପାର ଚାଲୁଥିଲା । ଅବାଧରେ ଏହି ନିଶାଦ୍ରବ୍ୟ ପହଞ୍ଚି ଯାଉଥିବାରୁ ଯୁବକମାନେ ନିର୍ଦ୍ଦନ୍ଦ୍ବରେ ତାହା ସେବନ କରୁଥିଲେ । ବ୍ରାଉନ୍ସୁଗାର୍ କବଳରେ ପଡ଼ିଥିବା ଯୁବକ ସର୍ବସ୍ୱାନ୍ତ ହୋଇ ପଡୁଥିଲେ । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଛାଡ଼ି ଜୀବନକୁ ବରବାଦ କରୁଥିଲେ । ଚାହିଁଲେ ମଧ୍ୟ ସେମାନେ ଏହି ନିଶା ଛାଡ଼ି ପାରୁ ନଥିଲେ । ଗତକାଲି ସହର ଉପକଣ୍ଠ ଜାମପଲ୍ଲୀ ଛକରେ ଏହି କାରବାର ଚାଲୁଥିବା ବେଳେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ତତ୍ବାବଧାନରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ଚଢାଉ କରିଥିଲା । ପୁଲିସ ୩୧ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ୍ସୁଗାର୍ ଜବତ କରିଥିଲା । ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଜବତ ବ୍ରାଉନ୍ସୁଗାର୍ ର ଓଜନ କରାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ଦେ ପ୍ରକାଶ କରିଛନ୍ତି ।