ଧରାକୋଟ ଚୋରୀ ଅଭିଯୋଗରେ ଚାରି ଗିରଫ……

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଗତ 19/6/2025 ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ, ନଗଦ 5000 ଟଙ୍କା, ଲୁଗା ପଟା ସହ ଏକ ଏଣ୍ଡ୍ରଏଡ ମୋବାଇଲ ଫୋନ ଚୋରି କରି ନେଇଥିଲେ । ଏସମ୍ପର୍କରେ ସୁଦେଶ୍ନା ସାହୁ ଧରାକୋଟ ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର 235/25 ପ୍ରକାରେ ମାମଲା ରୁଜୁ କରାଯିବା ପରେ  ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଅଭିମନ୍ୟୁ ପାଣ୍ଡେ ଅଧିକ ତଦନ୍ତ ଜାରି ରଖିଥିଲେ । ବୈଷୟିକ ଦଳର ସହାୟତାରେ ଏହି କେସ ସହ ସଂପୃକ୍ତ ଧରାକୋଟ ଥାନା ଅନ୍ତର୍ଗତ ଘୋଡାପଲି ଗ୍ରାମର ବଚନ ଶିକାରୀ(21), ଟାଙ୍ଗୀ ଥାନା ଅନ୍ତର୍ଗତ କୁଞ୍ଜୁର ଗ୍ରାମର ସୁଶାନ୍ତ ପ୍ରଧାନ(25), ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ସଞ୍ଜୟ ପାତ୍ର (35) ଓ ଚୋରି ସାମଗ୍ରୀ କିଣିଥିବା ଜଂକିଆ ଥାନାର ଅଚ୍ୟୁତପୁର ଗ୍ରାମର ଅରକ୍ଷିତ ରାଉଳଙ୍କୁ ଗଞ୍ଜାମ, ବ୍ରହ୍ମପୁର ଓ ଖୋର୍ଦ୍ଧା ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ 4 ଗୋଟି ମୋବାଇଲ ଫୋନ, ସୁନା ମଙ୍ଗଳସୂତ୍ର, ସୁନା ଲକେଟ, 2 ଗୋଟି କାନ ରିଙ୍ଗ 2, 16 ଗୋଟି ସୁନା ରୋଲ, 1 ଗୋଟି ସୁନା ଲକେଟ, ତାଲା ଭଙ୍ଗା ରଡ, ଆଧାର, ପାନ, ଏଟିଏମ ଓ ଭୋଟ ପରିଚୟ ପତ୍ର ଜବତ କରାଯାଇଛି । ଅନୁସନ୍ଧାନ ବେଳେ ସେମାନେ ଗଞ୍ଜାମ, ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ଚୋରିରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।