ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମରେ ପାଗଳା କୁକୁର ଆକ୍ରମଣରେ ଯୁବକ, ବୃଦ୍ଧ, ମହିଳାମାନେ ଶିକାର ହୋଇଥିବା ଦେଖିବାକୁ ମିଳିଛି l ଘରୁ ବାହାରି ଚାଷ ଜମିକୁ ଯିବା ବେଳେ, ମନ୍ଦିରରୁ ଫେରିଲା ସମୟରେ, ଶୌଚ ସାରି ଆସୁଥିବା ବେଳେ କିମ୍ବା ରାସ୍ତାରେ ଚାଲିଯିବା ସମୟରେ ହଠାତ କୁକୁରମାନେ କାମୁଡି ରକ୍ତାକ୍ତ କରୁଥିବା ଦେଖିବାକୁ ମିଳିଛି l ଆହତମାନଙ୍କୁ ନିକଟସ୍ଥ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯିବା ସହିତ ରାବିଟ ଟୀକା ପ୍ରଦାନ କରାଯାଇଛି l ଆସିକା ମେଡିକାଲକୁ କୁକୁର କାମୁଡାରେ ଆସିଥିବା ଲୋକମାନେ ହେଉଛନ୍ତି ଧରାକୋଟ ବ୍ଲକର କୁସୁରାବ ଗ୍ରାମର ବିପ୍ର ପ୍ରଧାନ, ରମେଶ ଗୌଡ଼, ଅଶ୍ୱିନୀ ଡାକୁଆ, ଇନ୍ଦ୍ର ରାଉତ, କାଶୀନାଥ ଜେନା, ଲକ୍ଷ୍ମୀପୁରର ବିଶ୍ୱନାଥ ଦାସ, ବାରିଗୁଡାର ବନମାଳୀ ଦାସ ବୋଲି ଜଣାପଡିଛି l ଗ୍ରାମବାସୀ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଯୋଗୁଁ ଭୟ ଭିତ ରହିଥିବା ଦେଖିବାକୁ ମିଳିଛି l ସରକାରଙ୍କ ପକ୍ଷରୁ ବୁଲା କୁକୁରମାନଙ୍କୁ ଆବଶ୍ୟକୀୟ ନିୟମିତ ଟୀକାକରଣ ନହେବା ଏହାର କାରଣ ବୋଲି ପଶୁପ୍ରେମୀମାନେ ମତ ରଖିଥିବା ବେଳେ ଅନ୍ୟମାନେ ଅଚାନକ ଲଗାଣ ବର୍ଷା ଯୋଗୁଁ କୁକୁରମାନେ ବର୍ଷାରେ ଅତ୍ୟଧିକ ଭିଜିଯିବା ଫଳରେ ପାଗଳ ହୋଇଯାଇଥିବା ଆକଳନ କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି ।