ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ପରେ ମାଟିତଳୁ ଶବ ଉଦ୍ଧାର କଲା ପୁଲିସ…

ମୋହନା( ମିହିର ପ୍ରସାଦ ମାଳୀ): ଗୁଣି ସନ୍ଦେହରେ ଯୁବକର ହତ୍ୟା । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରୁ l ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l ପ୍ରାରମ୍ଭିକ ସୂଚନା ପ୍ରକାରେ କମଳାପୁର ଗାଁର କରୁଣାକର ଦଳାଇ ନାମକ ଜଣେ ବ୍ୟକ୍ତି ପ୍ରାୟ ୮ ମାସ ହେବ କୁସୁମପୁର ଗାଁକୁ ଆସି,ଏଠାରେ ଲୋକଙ୍କୁ ଚେରମୂଳି ଚିକିତ୍ସା କରି ଆସୁଥିଲେ । ଏହି କଛିଦିନ ଆଗରୁ କୁସୁମପୁର ଗାଁର ଜଣେ ୧୨ ବର୍ଷର ପୁଅ ମୃତ୍ୟୁ ବରଣ କରିଥିଲା l ଏଥିପାଇଁ ଗାଁ ଲୋକେ କରୁଣାକର ହିଁ ଗୁଣି କରି ମାରିଦେଇଥିବା ସନ୍ଦେହ କରୁଥିଲେ  ଓ ଗାଁରେ ବୈଠକ କରି ଗାଁରୁ ବାହାରି ଯିବାକୁ ତାଗିଦ କରିଥିଲେ । କିଛି ଦିନ କରୁଣା କର କୁସୁମପୁରରୁ ଚାଲିଗଲେ ଓ ପୁଣି କୁସୁମପୁର ଫେରି ଆସିଥିଲେ । ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ କିଛି ଲୋକେ ଗାଁ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ଅଟକ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ମାରୁ ମାରୁ  କରୁଣାକରଙ୍କୁ ଜୀବନରେ ମାରି ହତ୍ୟା କରିବା ପରେ ସେହି ଅଙ୍ଗନୱାଡ଼ି କେନ୍ଦ୍ରରେ ତିନିଦିନ ରଖି, ଗାଁ ମୁଖିଆଙ୍କ ନିଷ୍ପତି ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୋହନା ପୁଲିସ କୁସୁମପୁର ଗାଁରେ ପହଞ୍ଚି ତଦନ୍ତ କରିବା ସହ ୫ ଜଣଙ୍କୁ ସନ୍ଦିଗ୍ଧ ଥିବା ଅନୁମାନ କରି ପଚରା ଉଚୁରା କରିଥିଲେ । ପରେ ସେହିମାନଙ୍କ କହିବା ଅନୁସାରେ ହିଁ ଶବଟିକୁ କେଉଁଠାରେ ପୋତିଛନ୍ତି ସେଠି ପହଞ୍ଚି ମାଟି ତଳୁ ଖୋଳି ଶବ ଠାବ କରି ବ୍ୟବଛେଦ ଲାଗି ପଠେଇଛନ୍ତି । ହତ୍ୟା ପଛରେ ଆଉ କାହା କାହାର ହାତ ଅଛି ତଦନ୍ତ ପରେର ଜଣା ପଡିବ ବୋଲି ମୋହନା ଥାନାଧିକାରୀ ବସନ୍ତ ସେଠି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଅପର ପକ୍ଷେ ମୃତ କରୁଣାକରଙ୍କ ଭାଉଜ ସବିତା ଦଳାଇ ଅଭିଯୁକ୍ତଙ୍କୁ ଫାଶି ଦେବା ଲାଗି ଗଣମାଧ୍ୟମ ଆଗରେ ଦାବି ରଖିଛନ୍ତି । ଏହି ସମସ୍ତ ତଦନ୍ତ ସମୟରେ ମୋହନା ତହସିଲ ଉପସ୍ଥିତ ଥିଲେ l