ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାବର୍ଷ ୨୦୨୫-୨୬ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା l ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଗଦାଧର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆର.ଭାଲିଆସାହି ସରକାରୀ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଭୂୟାଁ ଏବଂ ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ଦାସଙ୍କ ଉପସ୍ଥିତିରେ ଶିଶୁ ବିଦ୍ୟାମନ୍ଦିରର ୫୦ ଜଣ ଶିଶୁ ଭାଇ ଓ ଭଉଣୀ ଭାଗ ନେଇଥିଲେ l
ଶିଶୁମାନଙ୍କୁ ଦିଆଯାଇଥିବା ପ୍ରକଳ୍ପ ମଧ୍ୟରେ ସଜୀବ ନିର୍ଜୀବ , ଉଦ୍ଭିଦର ବିଭିନ୍ନ ଅଂଶ, ମନୁଷ୍ୟ ଶରୀରର ବାହ୍ୟ ଅଙ୍ଗ, ଖାଦ୍ୟ ସାର ଓ ଡଷ୍ଟବିନର ପ୍ରକଳ୍ପ ଏଥିରେ ସ୍ଥାନ ପାଇଥିବା ବେଳେ ଭଲ ପ୍ରକଳ୍ପ ଦେଖାଇଥିବା ଶିଶୁ ପ୍ରତିଭାମାନଙ୍କ ସହ ସମସ୍ତ ଶିଶୁ ପ୍ରତିଭା ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଏହି ବିଜ୍ଞାନମେଳା କାର୍ଯ୍ୟକ୍ରମ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ହୋଇଥିଲା l