ଦାରିଙ୍ଗବାଡି(ଅଶୋକ ସିଂ): ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ବିଭିନ୍ନ ସ୍ଥାନରେ ଥାନା ଓ ଆବଶ୍ୟକ ସ୍ଥଳେ ଫାଣ୍ଡି ସ୍ଥାପନ କରାଯାଇଛି । ହେଲେ କୌଣସି କାରଣ ବଶତଃ ଦୀର୍ଘ ବର୍ଷ ହେବ ଦାରିଙ୍ଗବାଡି ବ୍ଲକ ବାଲିଗୁଡ଼ା ଥାନା ଅର୍ନ୍ତଗତ ବୁଡାଗୁଡ଼ା ଫାଣ୍ଡି ବନ୍ଦ ରହିଥିଲା l ଫଳରେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ, ଚୋରୀ, ଦବଂଗିରି, ବେଆଇନ ମଦ କାରବାର ଆଦି ବିଭିନ୍ନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଥିଲା l ଅଞ୍ଚଳବାସୀଙ୍କ ବାରମ୍ଵାର ଦାବୀ ପରେ କନ୍ଧମାଳ ଏସପି ହରିଶ ବିଶି ଉକ୍ତ ଫାଣ୍ଡିକୁ ପୁନଃ ଚାଲୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ବର୍ଷ ପରେ ବୁଡ଼ାଗୁଡ଼ା ଫାଣ୍ଡି ପୁନଃ ଚାଲୁ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ପ୍ରକାଶ ଯୋଗ୍ୟ ଯେ ମାଓ ଭୟରେ ୨୦୧୭ ମସିହା ଠାରୁ ଫାଣ୍ଡିରେ ତାଲା ଝୁଲି ଥିଲା । ଫାଣ୍ଡି ବନ୍ଦ ରହିବା ଫଳରେ ବୁଡ଼ାଗୁଡ଼ା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଲେ ବୃଦ୍ଧି ପାଇ ଆଇନ ଶୃଙ୍ଖଳ ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିଲା । ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବୃଦ୍ଧି ପାଇବା ସହ ମଦ୍ୟପ ଦୌରତ୍ମ୍ୟ ବୃଦ୍ଧି ପାଇ ଥିଲା । ଚୋରିହାରି ମଧ୍ୟ ବଢ଼ି ଥିଲା । ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ, ବିଭିନ୍ନ ସମସ୍ୟା ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ବୁଡ଼ାଗୁଡ଼ା, ଗୁମିକିଆ ଓ ତିଲୋରୀ ପଞ୍ଚାୟତବାସୀ ଉକ୍ତ ଫାଣ୍ଡିକୁ ପୁନର୍ବାର ଚାଲୁ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ୱାର ଦାବି କରି ଆସୁଥିଲେ । ତେବେ ପ୍ରଶାସନ ପଞ୍ଚାୟତବାସୀଙ୍କ ଦାବି ଶୁଣିଛନ୍ତି ଏବଂ ଆବଶ୍ୟକୀୟ ନୂତନ କୋଠା ନିର୍ମାଣ କରି ଦୀର୍ଘ ବର୍ଷ ପରେ ମଙ୍ଗଳବାର ଦିନ ବୁଡ଼ାଗୁଡ଼ା ଫାଣ୍ଡିକୁ ପୁଣି ଚାଲୁ କରିଛନ୍ତି । କନ୍ଧମାଳ ଏସପି ହରିଶ ବିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାଣ୍ଡିର ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ପ୍ରମୁଖ ଯୋଗଥିଲେ । ଏହି ଫାଣ୍ଡି ହେବା ଫଳରେ ଦାରିଙ୍ଗବାଡି ବ୍ଲକର ବୁଡାଗୁଡ଼ା, ତିଲୋରୀ, ଗୁମିକିଆ, ବାଲିଗୁଡା ବ୍ଲକର ଋତୁଙ୍ଗିଆ ଓ କୋଟଗଡ ବ୍ଲକର ପକାରି, ପାରିଗଡ ପଞ୍ଚାୟତର ଉପକୃତ ହେବେ ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି ।