ପେଟ୍ରୋଲିଂ ବେଳେ ସନ୍ଦିଗ୍ଧ ଯୁବକ ଗିରଫ: ବନ୍ଧୁକ, ଜୀବନ୍ତ ଗୁଳି ଓ ମାଗାଜିନ ଜବତ……

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଲୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିବା ସହ ତା ନିକଟରୁ ୯ ଏମ.ଏମର ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ମାଗାଜିନ ଜବତ କରିଛି । ସୂଚନା ପ୍ରକାରେ,ଏସଆଇ ସମୀର କୁମାର ସେଠୀ ସଦଳବଳେ ତୁଳସୀପଲ୍ଲୀ ଛକ ନିକଟରେ ରାତି ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ ରାସ୍ତା ପାର୍ଶ୍ୱରେ ଯାଉଥିଲେ । ପୁଲିସ ତା ନିକଟରେ ପହଞ୍ଚି ପଚାରିବାରୁ ସେ ପୁଲିସକୁ ଅସଦାଚରଣ ଦେଖାଇଥିଲେ । ପୁଲିସ କାବୁ କରି ତଲାସୀ ନେବାରେ ତାଙ୍କ ନିକଟରୁ ଗୋଟିଏ ୯ଏମ ଏମ ପିସ୍ତଲ, ମାଗାଜିନ ଓ ୨ଟି ଜୀବନ୍ତ ଗୁଳି ମିଳିଥିଲା । ପରେ ମାରଣାସ୍ତ୍ର ରଖିବାରେ ଜଡିତ କୌଣସି କାଗଜପତ୍ର ସେ ପ୍ରଦାନ କରି ପାରିନଥିଲେ । ଯୁବକ ଜଣକ ତୁଳସୀପଲ୍ଲୀ ଗ୍ରାମର ସୌମ୍ୟ ରଞ୍ଜନ ବେହେରା ଓରଫ ସାନୁ (୩୨) ବୋଲି ଜଣାପଡ଼ିଛି । ଏହା ପରେ ଏସଆଇ ସମୀର ସେଠି ସାକ୍ଷୀମାନଙ୍କ ଉପସ୍ଥିତିରେ ମାରଣାସ୍ତ୍ରକୁ ଜବତ କରିଥିଲେ । ଏନେଇ କେସ ନଂ ୯୦୫/୨୫ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ସାନୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି ।