ଗାଲେରୀ ମେଡ଼ିକାଲର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଅତ୍ୟାଧୁନିକ ସେବା ଓ ପୂରଣ ହେବ ଡାକ୍ତର ସମସ୍ୟା : ବିଧାୟକ

ଭଞ୍ଜନଗର(ନିଲୁ ବିଷୋୟୀ): ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ନିଆଯିବ ସମସ୍ତ ପଦକ୍ଷେପ ଏବଂ ଭିତ୍ତିଭୂମୀ ପୂରଣ ସହ ଆଗାମୀ ଦିନରେ ଡାକ୍ତର ଅଭାବ ମଧ୍ୟ ପୂରଣ କରାଯିବ ବୋଲି ରବିବାର ଭଞ୍ଜନଗର ବ୍ଳକ ଗାଲେରୀ ଠାରେ ନୂତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୋମନାଥ ରଥଙ୍କ ଦ୍ୱାରା ଏହି କେନ୍ଦ୍ର ସ୍ଥାପିତ ହୋଇଥିଲା । ଏହାର ଉନ୍ନତି କାମ ୪୫ ବର୍ଷ ପରେ ହାତକୁ ନିଆଯାଇଛି । ପଡୋଶୀ କନ୍ଧମାଳ, ନୟାଗଡ଼ ସମେତ ଆଖପାଖର ୭ଟି ପଞ୍ଚାୟତର ଲୋକେ ଏହାରି ଉପରେ ନିର୍ଭର କରୁଛନ୍ତି । ତେଣୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ନାୟକ ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ମେଡିକାଲ ପାଇଁ ୧୫ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ହେବ । ଏଠାରେ ସମସ୍ତ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ । ମେଡିକାଲ କାର୍ଯ୍ୟ ୧୮ ମାସରେ ସରିବ । ଏହା ପରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ନାୟକ କହିଥିଲେ । ଭଞ୍ଜନଗର ନିର୍ବାଚନମଣ୍ଡଳୀର ୧୧ଟି ମେଡିକାଲର ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ଶିକ୍ଷା, ସାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଗୁଣ୍ଡୁରିବାଡି, ମୁଦୁଲିପଲ୍ଲୀ ପଞ୍ଚାୟତରେ ଆଗାମୀ ଦିନରେ ୨ଟି ନୂତନ ହାଇସ୍କୁଲ ନିର୍ମାଣ ହେବ।କୁଲାଡ଼ ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟ କରାଯିବ । ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି । ସଭାରେ ପୂର୍ତ୍ତ ବିଭାଗ ଅଧିକ୍ଷକ ସତ୍ୟ ରଞ୍ଜନ ପରିଡ଼ା, ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡା. ସୀତାଂଶୁ ଶେଖର ଶତପଥୀ, ଗାଲେରୀ ମେଡିକାଲ ଅଫିସର୍ ଡା.ଭଗବାନ ସାହୁ, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଏମପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନି ଗୌଡ଼, ବରିଷ୍ଠ ନେତା ରବୀନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସୁବାସ ବରାଡ଼, ଶିବ ଶଙ୍କର ପ୍ରଧାନ, କୁବେର ପ୍ରଧାନ, ମନୋଜ ପଣ୍ଡା, ଧବଳେଶ୍ବର ମାଝୀ, ଧୋବା ଗୌଡ଼, ମାନସ ଜେନା ହୃଷୀକେଶ ପ୍ରଧାନ, ଭୋଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ଏମପି ପ୍ରତିନିଧି ରବୀନ୍ଦ୍ର ଗୌଡ଼ ସଭାକୁ ସଂଯୋଜନା କରିଥିଲେ ।