ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ସୁନାରିଢିମିରା ସାହିରେ ଆଜି ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର୍ ଲିକ୍ରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ବିପ୍ଳବ ମହାରଣା (୬୦), ପତ୍ନୀ ସଂଯୁକ୍ତା ମହାରଣା (୪୫) ଓ ଦୁଇଝିଅ ପ୍ରାଚୀ (୧୬) ଏବଂ ପ୍ରିୟା (୧୪)। ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡରରେ ଆଗରୁ ଲିକେଜ୍ ରହିଥିଲା । ସନ୍ଧ୍ୟାରେ ବଲବ୍ ଅନ୍ କରିବା କ୍ଷଣି ହଠାତ୍ ତାହା ଜଳି ଉଠିଥିଲା । ହିଞ୍ଜିଳିକାଟୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମସ୍ତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ବିପ୍ଳବ ମହାରଣା ଓ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।