ରାସ୍ତା ନିର୍ମାଣର ୬ମାସ ହୋଇନି ହାତରେ ତାଡ଼ିଲେ ଉଠୁଛି ପିଚୁ: ନିର୍ଦ୍ଧାରିତ ସମୟରେ ସରୁନି ନିର୍ମାଣ କାର୍ଯ୍ୟ, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ….

ଦାରିଙ୍ଗବାଡି(ଆଶୋକ ସିଂ): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟସରକାର କୋଟି କୋଟି ଅର୍ଥ ବ୍ୟୟ ବରାଦ କରି ରାସ୍ତାଘାଟ ନିର୍ମାଣ କରିଛନ୍ତି । ହେଲେ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଦୁର୍ଗମ ଅଞ୍ଚଳର ରାସ୍ତାଘାଟ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଦେଖାଯାଉଛି । ଯାହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡୁଛି । ରାସ୍ତା ନିର୍ମାଣର ୬ମାସ ନ ପୂରୁଣୁ ରାସ୍ତାରେ ଖାଲ ଖମା ଦେଖାଯିବା ସହ ବର୍ଷା ପାଣିରେ ଧୋଇ ହୋଇ ଯାଉଛି l ଏପରିକି ହାତରେ କାଡ଼ିଲେ ପରସ୍ତ ପରସ୍ତ ପିଚୁ ବହାରି ଯାଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀ ମୁଣ୍ଡା ପଞ୍ଚାୟତରେ । ସୂଚନା ଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ୮୭ ଲକ୍ଷ ୮୮ହଜାର ୬୯୫ ଟଙ୍କା ବିନିମୟରେ ଆଡ଼ିପଙ୍କା ଠାରୁ ଭାୟା ହାତୀମୁଣ୍ଡା ଦେଇ ଋଷିମାଳ ପର୍ଯ୍ୟନ୍ତ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ଫେବୃୟାରୀ ମାସରୁ ଆରମ୍ଭ ହୋଇ ୨୦୨୪ ଜାନୁଆରୀ ଶେଷ ସୁଦ୍ଧା ସରକାରୀ ନିୟମାନୁଯାୟୀ ସରିବାର ଥିଲା । ଆଜ ପର୍ଯ୍ୟନ୍ତ ତାହା ସରିବାର ନା ଧରୁନି, ଅପର ପକ୍ଷେ ଯାହାବି କାମ ହୋଇଛି ତାହା ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି । ଘାଟି ରାସ୍ତା ମାନଙ୍କରେ ପିଚୁ ଉଠି କାଦୁଅରେ ପରିଣତ ହେଲାଣି l ଅନେକ ସ୍ଥାନରେ ରାସ୍ତା ଦବୁଥିବା ବେଳେ ଖାଲଖମା ସୃଷ୍ଟି ହେଉଥିବାରୁ ଉକ୍ତ ରାସ୍ତାରେ ତରଙ୍ଗରେ ଖେଳିଲା ଭଳି ଅନୁଭୂତ ହେଉଛି । ଅଞ୍ଚଳ ବାସୀ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଉତ୍ତମ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା ଶୁଣିବାକୁ କେହିନାହିଁ । ଐତିହାସିକ ସ୍ଥଳ ଋଷିମାଳ ପାହାଡ଼କୁ ବର୍ତ୍ତମାନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିବା ବେଳେ ଏହାର ସମ୍ପ୍ରସାରଣ ଓ ଉନ୍ନତୀ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପର୍ଯ୍ୟଟନ ବିଭାଗ ତତ୍ପର ହେଉଥିବା ବେଳେ ଠିକା ସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷ ହୀନ ମାନସିକତା ଓ ଲାଭଖୋର ମନୋଭାବ ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ୍ ଭାବେ ହୋଇ ପାରୁ ନାହିଁ । ରାସ୍ତାର ଦୂରାବସ୍ଥା ଯୋଗୁଁ ବର୍ତ୍ତମାନ ସରକାରୀ ଲକ୍ଷ୍ମୀ ବସ୍ ଚଳାଚଳ ତାମାଙ୍ଗିକୁ ଯାଉଥିବା କହିଛନ୍ତି ଗ୍ରାମବାସୀମାନେ । ଏଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଉକ୍ତ ରାସ୍ତା ରସଠିକ୍ ନିର୍ମାଣ ଓ ଆବଶ୍ୟକ ସ୍ଥାନରେ ଗାର୍ଡ ୱାଲ୍ ଓ ଡ୍ରେନ ନିର୍ମାଣ କରିବାକୁ ଗ୍ରାମର ବିଶ୍ଵ କୁମାର ପରିଚ୍ଛା, ମୁନା ନାୟକ, କୁନାଳ ବଳିଆର ସିଂ, ସୁନିଲ ବଳିଆର ସିଂ, ପାସ୍କୁଆଲ ବଳିଆର ସିଂ, ପ୍ରଭାସ ରଣ ସିଂ, ବାବୁଲା ବଳିଆର ସିଂ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।