ବ୍ୟାପୁଛି ଝାଡାବାନ୍ତି: ଗମ୍ଭାରୀଗୋଚ୍ଛାରେ ଦୁଇ ମୃତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତଥା ଆଖପାଖ ବ୍ଳକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସଂଖ୍ୟ ବଢିଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ଗ୍ରାମର ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ମେଡିକାଲ୍ ରେ ଭର୍ତ୍ତି ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସରେ ଆଜି ପର୍ଯ୍ୟନ୍ତ ୫୦ରୁ ଅଧିକ ଆକ୍ରାନ୍ତ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ମଧ୍ୟ ୩-୪ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ସାନକୋଦଣ୍ଡା ପଞ୍ଚାୟତ ଗମ୍ଭାରୀଗୋଚ୍ଛା ଗ୍ରାମର ପାଣୁ ଗୌଡ଼ଙ୍କ ଗତ ଶନିବାର ମୃତ୍ୟୁ ହୋଇଥିବା ଅଭିକଯୋଗ ହୋଇଛି । ତେବେ ଝାଡାବାନ୍ତି ହେବାରୁ ପାଣୁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ନିମୋନିଆ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଗାଲେରୀ ମେଡିକାଲ ଅଧିକାରୀ ଡ଼ା.ସନାତନ ବେହେରା ପ୍ରକାଶ କରିଛନ୍ତି । ଏଥିସହ ସେହି ଗ୍ରାମର ଗୋଟିଏ ପରିବାର ୩ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ମଧ୍ୟ ୨ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଗମ୍ଭାରୀଗୋଚ୍ଛାରେ ଗତସପ୍ତାହ ୧୪ ତାରିଖ ଦିନ ଦଣ୍ଡାସି ସାହୁଙ୍କୁ (୬୪) ଝାଡାବାନ୍ତି ହୋଇଥିଲା । ପରିବାର ଲୋକ ଘରେ କିଛି ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଏହାର ଦୁଇ ତିନି ଦିନ ପରେ ତାଙ୍କ ଝିଅ ଗୀତାଞ୍ଜଳୀ ସାହୁ, ପୁଅ ମିଟୁ ସାହୁ ଓ ପତ୍ନୀ ଗୋଲାପ ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍lରେ ଭର୍ତ୍ତି ହୋଇଥିଲେ । ମିଟୁ ବର୍ତ୍ତମାନ ଭଲ ହୋଇ ଘରକୁ ଫେରିଥିବା ବେଳେ ଗୀତାଞ୍ଜଳୀ ଓ ଗୋଲାପଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ଅବସ୍ଥା ମଧ୍ୟ ସୁଧୁରିଥିବା ବେଳେ ସ୍ଥିତି ଦେଖି ତାଙ୍କୁ ମଧ୍ୟ ଡିସ୍ଚାର୍ଜ କରାଯିବ ବୋଲି ଡ଼ା.ବେହେରା ପ୍ରକାଶ କରିଛନ୍ତି । ତେବେ ଆଉ କିଛି ବ୍ୟକ୍ତି ମଧ୍ୟ ଏଭଳି ଆକ୍ରାନ୍ତ ହୋଇଥିବା ବେଳେ ମେଡିସିନ୍ ଖାଇବା ପରେ ସେମାନେ ସୁସ୍ଥ ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହାପରେ ଗ୍ରାମରେ ଥିବା କୁଅ, ନଳକୂପକୁ ବିଶୋଧନ କରାଯିବା ସହ ଆଖପାଖ ଲୋକଙ୍କୁ ମେଡିସିନ୍ ବଣ୍ଟନ କରାଯାଇଛି । ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରାଥମିକ ଚିକିତ୍ସାରେ ସହଯୋଗ କରୁଛନ୍ତି । ବାହାର ପାଣି ସିଧାସଳଖ ନପିଇ ଫୁଟେଇ ପିଇବାକୁ ସଚେତନ କରାଯାଉଛି । ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଅପରପକ୍ଷରେ ଆଜି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମେଡ଼ିକାଲ ଟିମ ସହ ଆଲୋଚନା କରିଥିଲେ । ଏଥି ସହିତ ମୃତ୍ୟୁବରଣ କରିଥିବା ଦୁଇ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।