ଇଣ୍ଟର୍ନେଟ୍ ଜଗତରୁ ବିଛିନ୍ନ ହୋଇ ପଡ଼ିଛି ବ୍ରାହ୍ମଣୀଗାଁ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଆଜକୁ ତିନି ଦିନ ହେଲା ଇଣ୍ଟର୍ନେଟ୍ ସେବା ବନ୍ଦ ରହିଛି । କେବଳ ବ୍ରାହ୍ମଣୀ ଗାଁ ନୁହଁ ଆଖ ପାଖ ଅଞ୍ଚଳରେ ମଧ୍ୟ ବିଏସଏନଏଲର ଇଣ୍ଟର୍ନେଟ୍ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଛି । କିଓସ୍କ ବ୍ୟାଙ୍କ ଗୁଡ଼ିକରେ ତାଲା ଝୁଲୁଛି । ସ୍କୁଲ କଲେଜରେ ନାମ ଲେଖା ଚାଲିଥିବା ବେଳେ ଇଣ୍ଟର୍ନେଟ୍ ଅଭାବରୁ ଛାତ୍ରଛାତ୍ରୀମାନେ ସଠିକ୍ ତଥ୍ୟ ପାଇ ପାରୁ ନାହାଁନ୍ତି । ଜାତିଗତ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଆବେଦନ ହୋଇ ପାରୁ ନାହିଁ l ବ୍ରାହ୍ମଣୀଗାଁରେ ଅନ୍ୟ କୌଣସ ବିକଳ୍ପ ନେଟୱର୍କ ନଥିବାରୁ ଅଞ୍ଚଳ ବାସୀ ଏକମାତ୍ର ବିଏସଏନଏଲ ଉପରେ ନିର୍ଭର କରନ୍ତି । ସରକାରୀ ବେସରକାରୀ କାର୍ଯ୍ୟରେ ସମ୍ପୂର୍ଣ ବାଧା ସୃଷ୍ଟି ହେଉଛି । ଏନେଇ ବିଭାଗୀୟ ଏସଡିଓ ବାଲିଗୁଡ଼ାକୁ ଫୋନ ଯୋଗେ ପଚାରିବାରୁ ଡ଼୍ରାଇଭର ସଙ୍ଘ ଆନ୍ଦୋଳନରେ ଥିବାରୁ ଗାଡ଼ି ମିଳୁନାହିଁ , ତଥାପି ଅନ୍ୟ ଗାଡ଼ି ବ୍ୟବସ୍ଥା କରି କାମ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି । ଅପର ପକ୍ଷେ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁକୁ ବିଏସଏନଏଲର ନୂତନ କେବୁଲ୍ ସଂଯୋଗ କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରାୟ ଦେଢ ବର୍ଷ ବିତିଲାଣି ତାହା ଅଧା ପାନ୍ତରିଆ ହୋଇ ପଡ଼ି ରହିଛି । ଇଣ୍ଟର୍ନେଟ୍ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ବ୍ରାହ୍ମଣୀଗାଁ ଅଞ୍ଚଳ  । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଇଣ୍ଟର୍ନେଟ୍ ସମସ୍ୟା ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।