ଗଛପଡ଼ି ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ, ଟଳି ଯାଇଛି ବହୁତ ବଡ ଦୁର୍ଘଟଣା…

ଦାରିଙ୍ଗବାଡି(ଆଶୋକ ସିଂ): ଗତ କିଛିଦିନ ହେଲା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାସ୍ତା କଡରେ ଥିବା ଗଛ ଗୁଡ଼ିକ ମାଟି ବତର ଖାଇ ଢ଼ଳି ପଡ଼ୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ପୂର୍ତ୍ତ ବିଭାଗର ରାସ୍ତା କାମ ପାଇଁ ଉଭୟ ପାର୍ଶ୍ଵର ମାଟି ଖୋଳା ଯାଇଥିବା ବେଳେ କେତେକ ସ୍ଥାନର ଗଛ ଗୁଡ଼ିକର ଅଧା ଚେର ଉପାଡ଼ି ହୋଇ ଯାଇଥିବାରୁ ଲଗାଣ ବର୍ଷାରେ ମାଟି ଦୁର୍ବଳ ହୋଇ ରାସ୍ତା ଉପରେ ପଡୁ ଥିବା ନଜିର ରହିଛି । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ବୁଧବାର ଦିନ ଅପରାହ୍ନରେ ପୁଇଗୁଡ଼ା ବୁଲାନ୍ତିରେ ଏକ ବୃକ୍ଷ ଭୁଷୁଡି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଓ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀମାନେ ମିଳି ମିଶି ଗଛ ଟିକୁ ଟାଣି ଓଟାରି ରାସ୍ତାରୁ ଗଛ ହଟାଇ ଥିବା ବେଳେ ଗୁରୁବାର ଦିନ ମେରାମାହା ଛକ ନିକଟ ଅନ୍ଧାର ଘାଟି ପାଖରେ ପୁଣି ଏକ ବିରାଟ କାୟ ଗଛ ପଡ଼ି ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ ତାର ଛିଣ୍ଡି ଗଦାପୁର ଅଞ୍ଚଳକୁ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇ ଥିବା ଜଣା ପଡ଼ିଛି l ଖବର ଲେଖିବା ସୁଦ୍ଧା ବିଦ୍ୟୁତ ସରବରାହ କାର୍ଯ୍ୟ ଜାରି ରହିଥିବା ବେଳେ ଗଛ ପଡ଼ି ଅଧା ରାସ୍ତା ଅବରୋଧ କରିଛି । ଭାଗ୍ୟ ଭଲ ସେହି ବୃକ୍ଷ କୌଣସି ଯାତ୍ରୀଙ୍କ ଉପରେ ପଡ଼ିନ ଥିବାରୁ ବହୁତ ବଡ ଦୁର୍ଘଟଣା ଟଳି ଯାଇଛି କିନ୍ତୁ ବର୍ତ୍ତମାନ ମଧ୍ୟ ଘାଟି ରାସ୍ତା କଡ଼ରେ ଅନେକ ବୃକ୍ଷ ଭୁଷୁଡି ପଡ଼ିବା ସ୍ଥିତିରେ ଅଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।