କୁନ୍ଦୁରା(ନିରଞ୍ଜନ ପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ପାଣ୍ଡ୍ରିମାଟି ଗାଁରେ ଦୁଇ ଘଣ୍ଟା ଅଟକି ରହିଲା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ l ସୂଚନା ଅନୁସାରେ ସେହି ଗାଁର ଜଣେ ପ୍ରସୂତୀ ମହିଳାଙ୍କୁ ମେଡିକାଲ୍ ଆଣିବାକୁ ଗତକାଲି ରାତିରେ ଆମ୍ବୁଲାନ୍ସ ଯାଇଥିଲା I ଲଗାଣ ବର୍ଷା ଯୋଗୁଁ ରାସ୍ତା କାଦୁଅ ହୋଇ ଥିବାରୁ ଗାଁ ଭିତରକୁ ନ ଯାଇ ପ୍ରସୂତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିବାକୁ କୁହାଯାଇଥିଲା l କିନ୍ତୁ ରାତ୍ର ସମୟ ହୋଇ ଥିବାରୁ ମହିଳାଙ୍କୁ ଆଣି ପାରିବେ ନାହିଁ କହିଥିଲେ ପରିବାର ଲୋକେ l ସେଠାରୁ ଫେରି ଯାଇଥିଲା ଆମ୍ବୁଲାନ୍ସ l ପୁଣି ଆଜି ଦିନ ୧୦ ଟାରେ ସେହି ପ୍ରସୂତୀ ମହିଳାଙ୍କୁ ଆଣିବାକୁ ଯାଇଥିଲା ଆମ୍ବୁଲାନ୍ସ I ହେଲେ ଗାଁ ଠାରୁ ପ୍ରାୟ ୨୦୦ ମିଟର ପୂର୍ବରୁ ରାସ୍ତା କାଦୁଅରେ ଭର୍ତ୍ତି ହୋଇ ଥିବାରୁ ଆଗକୁ ଆଉ ଗାଡ଼ି ଯିବା ସମ୍ଭବ ହୋଇ ନ ଥିଲା l ସେଠାରୁ ଆମ୍ବୁଲାନ୍ସ ବୁଲାଇବା ସମୟରେ କାଦୁଅରେ ଫସି ଯାଇଥିଲା l ଗାଁ ଲୋକ ଆସି ଠେଲାଠେଲି କରି ବାହାର କରିବାକୁ ବହୁ ଚେଷ୍ଟା କରିଥିଲେ l ବହୁ ଚେଷ୍ଟା ପରେ ବି ବାହାରି ନଥିଲା l ଶେଷରେ ଟ୍ରାକ୍ଟର ସାହାଯ୍ୟରେ ଦିନ ସାଢ଼େ ୧୨ ଟାରେ ଆମ୍ବୁଲାନ୍ସ ବାହାର କରି ପ୍ରସୂତୀଙ୍କୁ ମେଡିକାଲକୁ ଅଣାଯାଇଥିଲା l ବର୍ଷା ଦିନ ହେଲେ ଏହି ଗାଁ ରାସ୍ତା କାଦୁଅରେ ଭର୍ତ୍ତି ହୋଇ ରହୁ ଥିବାରୁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସମ୍ଭବପର ହୋଇ ପାରୁନାହିଁ l ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି ତଥାପି ଗାଁ ଭିତରକୁ ଆମ୍ବୁଲାନ୍ସ ଯିବାଭଳି ପ୍ରଶାସନ ଦ୍ବାରା ରାସ୍ତା ଖଣ୍ଡେ ହୋଇ ପାରୁନାହିଁ I ପକ୍କା ରାସ୍ତାଟିଏ ପାଇଁ ବହୁବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ l