ଜଙ୍ଗଲରୁ ନାବାଳିକା ଯୁବତୀର ଗଳିତ କଙ୍କାଳ ଉଦ୍ଧାର, ଅପହରଣ ପରେ ହତ୍ୟା ସନ୍ଦେହ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ଗସମାହା ଜଙ୍ଗଲରୁ ରବିବାର ଅପରାହ୍ନରେ ଏକ ଗଳିତ ନରକଙ୍କାଳ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୁବତୀର କଙ୍କାଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଭଞ୍ଜନଗର ଥାନାରେ ରୁଜୁ ହୋଇଥିବା ଏକ ଅପହରଣ ମାମଲା ସହ ସମ୍ପୁକ୍ତ ଥିବା ନେଇ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆରମ୍ଭ କରିଛି । ଖବର ପାଇ ଆଜି ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଗାଲେରୀ ଫାଣ୍ଡି ଅଧିକାରୀ ମଧୁବାବୁଙ୍କ ନେତୃତ୍ୱରେ ପୁଲିସ ଟିମ ସଦଳବଳେ ନର କଙ୍କାଳ ଠାବ ସ୍ଥାନରେ ପହଁଚିଥିଲା । ଏକ ଗଛରେ କପଡା ସହ ଚୁଟି ଲାଗି ଝୁଲୁଥିବା ବେଳେ ତଳେ ଶରୀରର ବିଭିନ୍ନ ହାଡ଼ ଓ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଉକ୍ତ ସ୍ଥାନଟି ଚକାପାଦ ଥାନା ଇଲାକାର ହୋଇଥିବାରୁ ସମ୍ପୁକ୍ତ ଥାନା ଅଧିକାରୀଙ୍କୁ ସୂଚନା ଦେବା ସହ ସେହି ଥାନାର ପୁଲିସ ପହଁଚି କେସ ନମ୍ବର ୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ଦେହ ଜବତ କରି ବ୍ରହ୍ମପୁର ଏଫଏମଟିକୁ ପଠାଇଥିବା ଜଣାପଡିଛି l ସୂଚନାଅନୁଯାୟୀ, ଭଞ୍ଜନଗର ଥାନା ଇଲାକା ଭାଲୁଗୁଡା ଗ୍ରାମର ଜଣେ ନାବାଳିକା ଯୁବତୀଙ୍କୁ ଏକ ମାସ ପୂର୍ବରୁ କେହି ଅପହରଣ କରି ନେଇଥିବା ସମ୍ପର୍କରେ ତାର ବାପା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ କେସ ନଂ ୭୩୭/୨୫ରେ ଏକ ଅପହରଣ ମାମଲା ରୁଜୁ କରିଥିବା ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହା ପରେ ଆଜି କଙ୍କାଳ ମିଳିବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ବେଳେ ଉକ୍ତ ଘଟଣାରେ ସମ୍ପୁକ୍ତି ସନ୍ଦେହରେ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଥାନାଧିକାରୀ ନିଜେ ଏହି ମାମଲାର ତଦନ୍ତ କରୁଥିବା ବେଳେ ଏଫଏମଟି ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନାଁ ହତ୍ୟାକାଣ୍ଡ ପ୍ରକୃତ ଘଟଣା ଜଣାପଡିବ ବୋଲି ଏସଡିପିଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ମିଳିତ ଭାବେ ଭଞ୍ଜନଗର ଓ ଚକାପାଦ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।