ଜୟପୁରରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ, ସମାବେଶରେ ଯୋଗ ଦେଲେ ପିସିସି ସଭାପତି ଓ ଓଡ଼ିଶା ପ୍ରଭାରୀ…

ଜୟପୁର(ଦେବଦତ ପାଣି): କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି କଂଗ୍ରେସ ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଅ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ସ୍ଥିତ ସ୍ଥାନୀୟ ଦଶହରା ପଡିଆ ଠାରେ ଆଜି ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲାଲୁ ଯୋଗ ଦେଇଥିବା ବେଳେ ତାଙ୍କ ସହିତ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପିସିସି ସଭାପତିଙ୍କୁ ନବରଙ୍ଗପୁର ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବୋରିଗୁମ୍ମା, ଆମ୍ବାଗୁଡା ଠାରେ ମଧ୍ୟ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଜୟପୁର ମୁଖେ ଆସିଥିବା ବେଳେ ଜୟପୁର ସହରର ବିଭିନ୍ନ ଛକ ଠାରେ ପିସିସି ସଭାପତି, ଓଡ଼ିଶା ପ୍ରଭାରୀ, କୋରାପୁଟ ସାଂସଦ ଓ ଜୟପୁର ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ କଂଗ୍ରେସ କର୍ମୀ ଓ ନେତା । ଏହି ବିଶାଳ ବାଇକ ଶୋଭାଯାତ୍ରାରେ ମୁଖ୍ୟ ସହର ଦେଇ ଜୟପୁର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଗୋଟିଏ ପଟେ ଜୟପୁର ନିର୍ବାଚନ ମଣ୍ଡଳୀରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ଷା ସତ୍ବେ ମଧ୍ୟ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଉକ୍ତ ସମାବେଶରେ ଯୋଗ ଦେଇଥିଲେ । ଯାହା କି ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଯୁବ କଂଗ୍ରେସ ଦ୍ଵାରା ବିଶାଳ ଫୁଲ ମାଳ ଦେଇ ସ୍ୱାଗତ କରାଯାଇଥିଲା । ଜୟପୁର ସ୍ଥିତ ପାରାବେଡା ମୁଖ୍ୟ ଛକ ନିକଟରେ ଥିବା ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲୁ , ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଓଡ଼ିଶା ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ପୈାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସମ୍ବୋଧିତ କରିଥିଲେ । ଦେଶର ସମ୍ବିଧାନ ଆଜି ସଂକଟରେ ଥିବା ବେଳେ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ଜନସାଧାରଣ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ଦୂରପଯୋଗ କରୁଥିବା ଅଭିଯୋଗ କରିଥିଲେ । ପିସିସି ସଭାପତି କହିଥିଲେ ଯେ, ସମ୍ବିଧାନ ସଶକ୍ତ ହେଲେ ଆମ ଗଣତନ୍ତ୍ର ସଶକ୍ତ ହେବ ଓ ଆମ ଅଧିକାର ସୁରକ୍ଷିତ ରହିବ । ସେପଟେ ସାରା ରାଜ୍ୟରେ ଅପରାଧ, ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଧର୍ଷଣ ଭଳି ଘଟଣା ବଢି ଚାଲିଛି । ମାଆ ଭଉଣୀ ଏବେ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି ବୋଲି ସେ କହିଥିଲେ । ଏହା ସହ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲୁ କହିଥିଲେ ଯେ ରାହୁଲ ଗାନ୍ଧୀ ଜାତି ଜନଗଣନା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଥିଲେ ।ହେଲେ ଏହାକୁ ଭାରତୀୟ ଜନତା ପାର୍ଟି ଉପହାସ କରିଥିଲେ । କିନ୍ତୁ ଯେତେବେଳେ ସାରା ଭାରତରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କଲା ସେହି ଭୟରେ ଜନଗଣନା ପାଇଁ ଭାଜପା ଘୋଷଣା କରିଥିବା ସେ କହିଛନ୍ତି । ଆଜି ଭାଜପା ସରକାରରେ ସମ୍ବିଧାନ ଅସୁରକ୍ଷିତ ହୋଇ ପଡିଥିବା ବେଳେ ଏହାର ଜବାବ ଦେବାର ସମୟ ଆସିଯାଇଛି, ଦରଦାମ୍ ଠାରୁ ଆରମ୍ଭ କରି ଆଜି ଦେଶରେ ଅନ୍ୟାନ୍ୟ, ଅତ୍ୟାଚାର, ଅପରାଧ, ଦୁଷ୍କର୍ମ, ଗଣଧର୍ଷଣ ପରି ମାମଲା ବଢ଼ିଚାଲିଛି ବୋଲି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି । ସେପଟେ ଆଜି ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା ଅପରାଧ ଦୁଷ୍କର୍ମ ଓ ଗଣଧର୍ଷଣ ପରି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି l ଗୋପାଳପୁର ବେଳାଭୂମିରେ ମହିଳା ଗଣଧର୍ଷଣ ଆଜି ସମସ୍ତଙ୍କୁ ମର୍ମାହତ କରିଦେଇଛି ବୋଲି ତାରା ତାଙ୍କ ଅଭିଭାଷଣରେ କହିଛନ୍ତି । ଆଜି ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ । ବିଶ୍ବ ଦରବାରରେ ଏବେ ଓଡ଼ିଶା ନିନ୍ଦିତ । ଆମେରିକା କିଛି ଦିନ ତଳେ ଭାରତର ୬ ଟି ରାଜ୍ୟକୁ ଏକୁଟିଆ ନ ଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଇଛି । ଏହି ୬ ଟି ରାଜ୍ୟ ମଧ୍ୟରେ ଆମ ଓଡ଼ିଶାର ନାମ ମଧ୍ୟ ରହିଛି l ଏହା ଆମ ପାଇଁ ଏକ ଦୁର୍ଭାଗ୍ୟଜନକ କଥା ବୋଲି ତାରା କହିଛନ୍ତି । ଆଜି ମାଆ ଭଉଣୀମାନେ ରାଜ୍ୟରେ ଅସୁରକ୍ଷିତ ବୋଲି ତାରା କହିଛନ୍ତି । ଆଜି ଓଡ଼ିଶାର ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ସାରା ବିଶ୍ୱରେ ଚକିତ କରିଛି ବୋଲି ତାରା କହିଛନ୍ତି । ଆଜି ଯେଉଁଭଳି ଭାବେ ନାରୀ ନିର୍ଯ୍ୟାତନା, ଅପରାଧ, ଦୁଷ୍କର୍ମ, ଗଣଧର୍ଷଣ, ବଢ଼ିଚାଲିଛି ତାକୁ ରାଜ୍ୟ ସରକାର ରୋକିବାରେ ସଂପୂର୍ଣ୍ଣ ବିଫଳ ବୋଲି ଜୟପୁର ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି ନିଜ ଅଭିଭାଷଣରେ କହିଛନ୍ତି । ପ୍ରତିଦିନ ୧୫ରୁ ଉର୍ଦ୍ଧ୍ବ ମହିଳା ଦୁଷ୍କର୍ମ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି ବୋଲି ତାରା କହିଛନ୍ତି । ଏହି ସରକାରରେ ଦରଦାମ, ବେରୋଜଗାର, ଦୁର୍ନୀତି, ନାରୀ ନିର୍ଯ୍ୟାତନା ଅପରାଧ ବଢ଼ିଚାଲିଛି ବୋଲି ମଧ୍ୟ ତାରା ତାଙ୍କ ଅଭିଭାଷଣରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲୁ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, କଂଗ୍ରେସ ଦଳର ନେତା ତଥା ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ଜିଲ୍ଲା ସଭାପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ବିଧାୟକ ମଙ୍ଗୁଖିଲ, ନିମାଇଁ ସରକାର, ଜୟରାମ ପାଙ୍ଗି, ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ଜୟପୁର ପୈାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ସମେତ ଜୟପୁର ପୈାରପାଳିକାର ସମସ୍ତ କଂଗ୍ରେସ କାଉନସିଲର ଏବଂ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।