- ସରକାର ବିଷାକ୍ତ ଗ୍ୟାସ ମୃତକ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ କରନ୍ତୁ : କଂଗ୍ରେସ

ଅନୁସନ୍ଧାନ ଭାରତ(ବ୍ୟୁର): ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ୟ ପ୍ରକ୍ରିୟାକରଣ ଫେକ୍ଟ୍ରିରେ ଗ୍ୟାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ ମର୍ମନ୍ତୁଦ ମୂତ୍ୟୁ ଘଟିଥିଲା । ଏହି ବିଷୟକୁ ନେଇ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନ ଦଳ କେନ୍ଦୁଝର ଜିଲ୍ଲା ଗସ୍ତକରି ପିଡିତ ପରିବାର ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ଅନୁଧ୍ୟାନ ଦଳର ସଦସ୍ୟ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ, ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ । ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଦାସ ପ୍ରାରମ୍ଭିକ ସୂଚନା ଦେବାପରେ ପିସିସି ସଭାପତି ଭକ୍ତଚରଣ ଦାସ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଲେ ଭୋକର ଭୂଗୋଳ ଦିନେ କଳାହାଣ୍ଡିକୁ କୁହା ଯାଉଥିଲା କିନ୍ତୁ ଆଜି କେନ୍ଦୁଝର ଭୋକର ଭୂଗୋଳ ପାଲଟି ଯାଇଛି । ଗତ କାଲିର କେନ୍ଦୁଝର ଗସ୍ତ ହୃଦୟ ବିଦାରକ ଥିଲା l ଯାହା ଭାଷାରେ ଅବର୍ଣ୍ଣନୀୟ । ଦୁଃଖର ବିଷୟ ଯେଉଁ କେନ୍ଦୁଝର ଖଣିଜ ସମ୍ପଦ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ରାଜ୍ୟକୁ ଦେଉଛି ସେହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବେବି ଲୋକଙ୍କ ପାଇଁ ଅପହଞ୍ଚ । ରାସ୍ତାଘାଟ ନାହିଁ, ସ୍ବଚ୍ଛ ପାଣିର ସାଧନ ନାହିଁ ଏବଂ ରୋଜଗାର ନାହିଁ । ଆଶ୍ଚର୍ଯ୍ୟର କଥା ଯେଉଁ ଅଞ୍ଚଳରେ ୫୦-୬୦ ବର୍ଷଧରି ଓଏମସି କାର୍ଯ୍ୟ କରୁଛି ତାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ମଧ୍ୟ ଏତେ ଅବହେଳିତ ବିଶ୍ବାସ ହେବନି । ବାହାର ରାଜ୍ୟର ଶିଳ୍ପପତି ଆସି ଲୁଟକରି ନିଜ ରାଜ୍ୟ କାରଖାନାକୁ ପଠାଉଛନ୍ତି ଏବଂ ସେହି ଖଣିଜ ସମ୍ପଦର ମାଲିକ ଆଦିବାସୀ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଯେତେ ଖଣିକାମ ହେଉଛି ତାରଯଦି ଶତକଡା ୫ଭାଗ ମେନୁଆଲ କାର୍ଯ୍ୟ କରାଯାଆନ୍ତା ତେବେ ଜିଲ୍ଲାର କର୍ମନିଯୁକ୍ତି ସମତ୍ସା ସଂପୂର୍ଣ୍ଣ ଭାବରେ ଦୁର ହୋଇ ପାରନ୍ତି । ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ବାହାରକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ ସେମାନଙ୍କ ପଞ୍ଜିକରଣ ସୁରକ୍ଷା ଓ ବୀମା କିଛି ମଧ୍ୟ ନାହିଁ । ପ୍ରଧାନମନ୍ତ୍ରୀ ଦୁଇଥର ଆସି ବିକାଶ ଉତ୍ସବ ପାଳନକରିଛନ୍ତି l ଆମେ ପ୍ରଶ୍ନ କରୁଛୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଉତ୍ସବ ମନାଇବାପାଇଁ ନିଜ ଜିଲ୍ଲାକୁ କାହିଁକି ଡାକିଲେ ନାହିଁ । ୮୦ ଦଶକର ଲାଞ୍ଜିଗଡ ଅବସ୍ଥା ଆମେ ଦେଖିଥିଲୁ l ଦୁଃଖର କଥା ୨୦୨୬ ମସିହାରେ ମଧ୍ୟ ସେହି ସମାନ ଅବସ୍ଥା କେନ୍ଦୁଝରରେ ଦେଖିବାବକୁ ମିଳୁଛି । ଜୁଆଙ୍ଗ ଜନଜାତିଙ୍କ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଦେଖି ନିଜକୁ ଲଜ୍ଜିତ ମନେହେଲା । ସବୁଠାରୁ ବେଶୀ ଲଜ୍ୟାକର ବିଷୟ ହେଉଛି ଜୁଆଙ୍ଗ ଅଧ୍ୟୁଷିତ ଅଞ୍ଚଳରୁ ଦାଦନ ବୋହିବା ପାଇଁ ତିନିଗୋଟି ଏକ୍ସପ୍ରେସ୍ ବସ୍ ଚାଲିଛି l ଯାହା ଦାଦନ ଏକ୍ସପ୍ରେସ୍ ନାମରେ ପରିଚିତ । ସେଥିରେ ମୁଖ୍ଯମନ୍ତ୍ରୀ ନିଜ ବ୍ଲକ ବାଂଶପାଳ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ରାଜ୍ୟରେ ୪୭୦୦୦ ଜୁଆଙ୍ଗ ରହିଥିବା ବେଳେ ସେଥିମଧ୍ୟରୁ କେବଳ କେନ୍ଦୁଝର ଜିଲ୍ଲାରେ ୩୫୦୦୦ ଜୁଆଙ୍ଗ ବସବାସ କରୁଛନ୍ତି । ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ୧୪୦୦୦ କୋଟିର ଯେଉଁ ମିନେରାଲ ଫଣ୍ଡ ଜିଲ୍ଲାରେ ଗଚ୍ଛିତ ଅଛି ତାହା ସରକାର ବ୍ୟବହାର କରନ୍ତୁ ଏବଂ ଜିଲ୍ଲାର ଆଦିବାସୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରି ଖର୍ଚ୍ଚ କରନ୍ତୁ । କଂଗ୍ରେସ ଦଳ ଦାବୀ କରୁଛି ପ୍ରତ୍ୟେକ ପିଡିତ ପରିବାର ନାମରେ ୨୫ ଲକ୍ଷ ଟଙ୍କା ସ୍ଥାୟୀ ଜମାକରାଯାଉ l ଫଳରେ ସୁଧ ଟଙ୍କାରେ ସେ ପରିବାରର ଭରଣପୋଷଣ ହୋଇପାରିବ । ଯଦି କଂଗ୍ରେସ ଦଳର ଦାବୀ ପୁରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀଦାସ ପ୍ରକାଶ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡାମ କହିଲେ, ଆଦିବାସୀ କିଭଳି ଅବହେଳିତ ଓ ପ୍ରତାରିତ ତାହାର ନଗ୍ନ ଉଦାହରଣ ହେଲା କେନ୍ଦୁଝର ଜିଲ୍ଲା l ଏହା ସାରା ରାଜ୍ୟର କଥା । ଆମ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ l ପୁଣି ତାଙ୍କ ନିଜ ଜିଲ୍ଲା ନିଜ ବ୍ଲକରେ ଏହି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି l କିନ୍ତୁ ମୁଖ୍ୟମନ୍ତ୍ରୀ ଆଦିବାସୀ ଶୋକ ସନ୍ତପ୍ତ ପରିବାରକୁ ଭେଟିବାକୁ ସମୟ ପାଇଲେ ନାହିଁ । ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟରେ ୬୪ ପ୍ରକାର ଆଦିବାସୀ ବସବାସ କରନ୍ତି ଏବଂ ତନ୍ମଧ୍ୟରୁ 13 ପ୍ରକାର କେବଳ କେନ୍ଦୁଝରରେ ବାସ କରନ୍ତି l ଖଣି ଅଞ୍ଚଳ ଦୈତାରୀ ଓ ଗନ୍ଧମାର୍ଦନ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l କେନ୍ଦୁଝରରୁ କେତେ ଆଦିବାସୀ ଦାଦନ ଖଟିବାକୁ ଯାଇଛନ୍ତି ସରକାରଙ୍କ ପାଖରେ ତଥ୍ୟ ନାହିଁ l ସରକାର କେନ୍ଦୁଝର ଖଣି ଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାରେ ନିଲାମ କରୁଛନ୍ତି କିନ୍ତୁ କେନ୍ଦୁଝର ବିକାଶ ହେଉନି l ସରକାର ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ, ସୁରକ୍ଷା ଓ ବୀମା ପାଇଁ ଯୋଜନା ପ୍ରଣୟନ କରନ୍ତୁ l ଦାଦନଙ୍କୁ ନେଇ ଯେଉଁ ଏଜେନ୍ସି ଶୋଷଣ କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ପ୍ରକୃତରେ ଓଡିଶା ଗରିବ ନୁହେଁ, ଓଡ଼ିଆଙ୍କୁ ଗରିବ କରି ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଦାବୀ କରିଥିଲେ l ସମ୍ମିଳନୀରେ ଉପସ୍ଥିତଥିବା ଅନ୍ୟତମ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିଜ ବକ୍ତବ୍ୟରେ କହିଲେ, କେନ୍ଦୁଝର ମୋ ନିଜ ଜିଲ୍ଲା ତଥା ରାଜନୈତିକ କ୍ଷେତ୍ର l ତେଣୁ ଏହି ଦାରୁଣ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୋର ପରମ କର୍ତ୍ତବ୍ୟ ଚିନ୍ତାକରେ l “ବିକାଶ ଧାରା ଓଡିଶା ସାରା” ସରକାରଙ୍କ ସ୍ଲୋଗାନର ବାସ୍ତବ ଚିତ୍ର କେନ୍ଦୁଝର କହୁଛି l ଅତି ଦୁଃଖର କଥା କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ସ୍ଵାକ୍ଷରତା ହାର ଅତ୍ୟନ୍ତ ନିରାଶାଜନକ ବାଂଶପାଳରେ ମହିଳାଙ୍କ ହାର ଶତକଡା 44 ଭାଗ ଥିବାବେଳେ ତେଲକୋଇରେ ଶତକଡା 53 ଭାଗ ରହିଛି l କେନ୍ଦୁଝରରୁ 100 ଜଣ ଦାଦନଙ୍କୁ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ସହରର ବଡ଼ ଦଲାଲାଙ୍କ ଜରିଆରେ ଚାଲାଣ କରିଥିଲା l ଏମାନଙ୍କ ମଧ୍ୟରେ ମୃତାହତ ଅନ୍ତର୍ଭୁକ୍ତ l ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇ ନାହିଁ l ପୀଡିତ ପରିବାରବର୍ଗଙ୍କ ଗ୍ରାମ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ବାସସ୍ଥାନରୁ ମାତ୍ର 20/30 କିମି ଦୂରରେ ତଥାପି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରଙ୍କୁ ସାକ୍ଷାତ ପାଇଁ ଆସି ପାରିଲେ ନାହିଁ l ରାଷ୍ଟ୍ରପତି ମହୋଦୟା ନିଜେ ଆଦିବାସୀ ଓ ମହିଳା କିନ୍ତୁ ଏହି ଦୁଃଖଦ ଘଟଣା ସାନ୍ତ୍ୱନା ଟିକିଏ ମଧ୍ୟ ଦେଇ ପାରିଲେ ନାହିଁ l ମୁଖ୍ୟମନ୍ତ୍ରୀ ହେବା ଏକ ସଉକ ବୋଲି ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ଓ ପୁଣି କହିଥିଲେ ଆଦିବାସୀ ଜନଜାତିଙ୍କ ପାଇଁ କଂଗ୍ରେସ ସଦାବେଳେ ସଂଗ୍ରାମ କରୁଛି ଏବଂ କରୁଥିବ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ l