ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ନୂତନ ପେଟ୍ରୋଲ ପମ୍ପ ରବିବାର ଦିନ ଶୁଭାରମ୍ଭ ହୋଇଛି । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ ଫିତାକାଟି ପେଟ୍ରୋଲ ପମ୍ପର ଶୁଭ ଉଦଘାଟନ କରିଥିଲେ l ଏହା ପରେ ପେଟ୍ରୋଲ ପମ୍ପ ପରିସରରେ ଏକ ବୈଠକ ର ଆୟୋଜନ କରାଯାଇ ଥିଲା l ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି କୁନା ମାଝୀ, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଆଇନଜିବୀ ମୃତ୍ୟୁଞ୍ଜୟ ନାୟକ, କୁମୁଦିନୀ ସିଂ, ଫାଦର ମୁକୁନ୍ଦ ବଳିଆର ସିଂ ପ୍ରମୁଖ ମଞ୍ଚାସିନ କରିଥିଲେ । ମୁଖ୍ୟ ଅତିଥି ତଥା ବିଧାୟକ ଶ୍ରୀ ଗମାଙ୍ଗ ତାଙ୍କ ଅଭିଭାଷଣରେ କହିଥିଲେ କି ପେଟ୍ରୋଲ ପମ୍ପର ମାଲିକ ଅମିର ଚାନ୍ଦ ନାୟକଙ୍କ ସ୍ବପ୍ନ ତଥା ଅଞ୍ଚଳ ବାସୀଙ୍କ ଆଵଶ୍ୟକତା ଆଜି ପୂରଣ ହୋଇଛି l ରାଜ୍ୟ ସରକାର ମଧ୍ୟ ଏହି ଅଞ୍ଚଳରେ ପେଟ୍ରୋଲ ପମ୍ପ ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି l ଏଣୁ ସରକାରଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିବା ସହ ହାତକୁ ହାତ ମିଳେଇ ଚାଲିବାକୁ ପରାମର୍ଶ ଦେଇଥିଲେ l ଦୀର୍ଘଦିନର ଆଵଶ୍ୟକତା ପୂରଣ ହୋଇ ଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଆଗରୁ ବ୍ରାହ୍ମଣୀଗାଁ ଠାରୁ ୪୦ କିମି ଦୂର ଦାରିଙ୍ଗବାଡି କିମ୍ବା ମୋହନାକୁ ଗଲେ ପେଟ୍ରୋଲ ମିଳୁଥିଲା ନଚେତ୍ ଖୁଚୁରା ବ୍ୟବସାୟୀମାନଙ୍କ ଠାରୁ ବୋତଲ ପିଛା ୧୫ ରୁ ୨୦ ଟଙ୍କା ଅଧିକ ଦେଇ ପେଟ୍ରୋଲ ପକାଇବାକୁ ପଡୁଥିଲା l ବର୍ତ୍ତମାନ ହାତ ପାହାନ୍ତାରେ ପେଟ୍ରୋଲ ପମ୍ପ ସ୍ଥାପନ ହୋଇଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ପ୍ରତିକୂଳ ପରିବେଶ ସତ୍ତ୍ୱେ ବର୍ଷାକୁ ଖାତିରି ନ କରି ଛତା ଧରି ଜନ ସମାଗମ ହୋଇଥିବା ଦେଖିବାକୁ ମଳିଥିଲା । ପୂର୍ବତନ ସମିତି ଅଧ୍ୟକ୍ଷ ରାମାକାନ୍ତ ବଳିଆର ସିଂ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୂରୁଙ୍କ ନିର୍ଦ୍ଧେଶରେ ପୁଲିସ ବାହିନୀ, ସୁରକ୍ଷା କର୍ମୀ ନିୟୋଜିତ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।