ନାରୀ ନିର୍ଯାତନା ପ୍ରସଙ୍ଗରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର କୋହଭରା ମନ୍ତବ୍ୟ……

‘ଦୁଃଖର ସହ ଓଡ଼ିଶାରୁ ବିଦାୟ ନେଉଛୁ’

* ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

* କଥା ଆମେରିକା ଜାଣିଲାଣି, ଅଥଚ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ୁନି!

* ପ୍ରଶାସନର ଯାହା ପାଖକୁ ଗଲେ ‘ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ କଥା’ କହି ଘଟଣାକୁ ହାଲୁକା ଭାବେ ନେଉଛନ୍ତି l

csp

* ଯେ ଯାଏ ଦଣ୍ଡବିଧାନ ନ ହୋଇଛି, ବଳାତ୍କାରୀ ବାରମ୍ବାର ଦୁଷ୍କର୍ମ କରେ l

* ଓଡ଼ିଶାରେ ନାରୀମାନେ ଡରିଡରି ବଞ୍ଚୁଛନ୍ତି।

* ଓଡ଼ିଶା ପରି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟରେ ଏବେ ‘ଭ୍ରଷ୍ଟାଚାର’ ଓ ‘ବଳାତ୍କାର’ ଛଡ଼ା ଆଉ ଶବ୍ଦ ନ ଶୁଭିବା ଦୁର୍ଭାଗ୍ୟଜନକ l

ଅନୁସନ୍ଧାନ ଭାରତ(ବ୍ୟୁର): ନିକଟରେ ଓଡ଼ିଶାରେ ସଂଘଟିତ କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଏଆଇସିସିର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟା ଭାବେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର, ଗ୍ରାମବାସୀ, ସ୍ଥାନୀୟ ନେତୃତ୍ବ, ପୁଲିସ ଓ ଜିଲ୍ଲା ପ୍ରଶାସନ -ଏ ସବୁ ବର୍ଗର ଲୋକଙ୍କୁ ଭେଟିବାରୁ ଯେଉଁ ସବୁ ହୃଦୟବିଦାରକ ଘଟଣାମାନ ଜାଣିବାକୁ ପାଇଲୁ, ଭାରାକ୍ରାନ୍ତ ହୃଦୟରେ ଓଡ଼ିଶାରୁ ଫେରିବାକୁ ପଡ଼ୁଛି । ଭାବିଥିଲୁ, ପ୍ରଥମେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଅଭିଜ୍ଞତା ବାଣ୍ଟିବୁ; ଯଦ୍ବାରା ରାଜ୍ୟରେ ମହିଳା ନିର୍ଯାତନା କୋଉ ସ୍ତରରେ ପହଞ୍ଚିଲାଣି ତା’ର ଏକ ଚିତ୍ର ପାଇପାରିବେ । ରାଜ୍ୟର ଏତେବଡ଼ ସ୍ପର୍ଶକାତର ପ୍ରସଙ୍ଗରେ ଆମକୁ ସାକ୍ଷାତ ପାଇଁ ସମୟ ନ ଦେବା ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି ।’’ -ଗତ ୨୧ରୁ ୨୩ ତାରିଖ ଗୋପାଳପୁର, ଟିକାବାଲି, ହରିଚନ୍ଦନପୁର ସମେତ ବିଭିନ୍ନ ଅଞ୍ଚଳ ଗସ୍ତ ଶେଷକରି ୨୪ ତରିଖ ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସମ୍ବାଦଦାତାଙ୍କ ଆଗରେ କୋହଭରା କଣ୍ଠରେ ଏହା କହିଛନ୍ତି ଦୀପା ଦାସମୁନ୍‌ସିଙ୍କ ନେତୃତ୍ବାଧୀନ ଉକ୍ତ କମିଟିର ସଭ୍ୟାମାନେ । ଗୋପାଳପୁର ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ନିକଟରେ ହୋଇଥିବା ଜଘନ୍ୟ ଗଣବଳାତ୍କାର, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଏବଂ ରାଜ‍୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା, ଶିଶୁ ନିଖୋଜ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଦୀପା ଦାସମୁନ୍‌ସି କହିଥିଲେ, ରାଜ୍ୟରେ ନିଖୋଜ-ଚାଲାଣ ଓ ଦୁଷ୍କର୍ମ ଏବେ ନିତିଦିନିଆ ଘଟଣା ହୋଇଛି । ଏହିପରି ଅନେକ ଘଟଣା ଲୁଚିଯାଉଛି । ଭାଗ୍ୟକୁ ଉକ୍ତ ପୀଡ଼ିତାର କଂକାଳ ମିଳିଗଲା ବୋଲି, ନହେଲେ ସେଇ ଦୁଷ୍କର୍ମ ଘଟଣା ମଧ୍ୟ ଲୋକଲୋକଚନକୁ ଆସି ନ ଥା’ନ୍ତା । ମହିଳାମାନେ ଆମକୁ ସୁରକ୍ଷା ମାଗୁଛନ୍ତି । ବହୁତ ଆଶା ଥିଲା, ମୁଖ୍ୟମନ୍ତ୍ରୀଙ୍କୁ ସବୁକଥା କହିବୁ । ତେବେ ଦୁଃର ସହ ଫେରିବାକୁ ପଡ଼ୁଛି । ଆମେ ଅନୁଭବ କରିଥିବା ହୃଦୟବିଦାରକ ଘଟଣାଗୁଡ଼ିକର ବିବରଣୀ ଦଳର କେନ୍ଦ୍ରୀୟ ନେତୃତ୍ବକୁ ପ୍ରଦାନ କରିବୁ । ଏହି ଦଳରେ ଥିବା ସାଂସଦମାନେ ଏହି ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଇବେ । ଜଣେ ଅଂଜନାଙ୍କ ପ୍ରସଙ୍ଗରେ ଦିନେ ରାଜ୍ୟରେ କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଥିଲା । ଏବେ ତ ଶହଶହ ଅଂଜନା ମାମଲା ହେଉଛି ବୋଲି ସେ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଚେତାଇଦେଇଥିଲେ । ଦିଲ୍ଲୀ ଫେରିଯାଇ କଂଗ୍ରେସ ଅଧ୍ୟକ୍ଷ, ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ରିପୋର୍ଟ ପ୍ରଦାନ ପରେ ସେଠାରେ ଏକ ଜାତୀୟ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କହିବୁ ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟସଭା ସଦସ୍ୟା ରଞ୍ଜିତ ରଂଜନ କହିଥିଲେ, ଯେ ଯାଏ ଦଣ୍ଡବିଧାନ ନ ହୋଇଛି, ବଳାତ୍କାରୀ ବାରମ୍ବାର ଦୁଷ୍କର୍ମ କରେ । ମଦ-ଡ୍ରଗ୍ସ-ମାଫିଆ ଓ ଶାସକ-ପ୍ରଶାସକଙ୍କ ଏକ ଅସାଧୁ ମେଣ୍ଟ ଯୋଗୁଁ ଆସାମୀମାନେ ଦୁଷ୍କର୍ମ ଏପରିକି ଗଣଦୁସ୍କର୍ମ ଓ ହତ୍ୟା ପରେ ବି ଅବାଧରେ ବିଚରଣ କରୁଛନ୍ତି । ପ୍ରଶାସନର ଯାହା ପାଖକୁ ଗଲେ ସେଇ ଗୋଟିଏ ମାନସିକତା:- ‘ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ କଥା’ କହି ଘଟଣାକୁ ହାଲୁକା ଭାବେ ନେଉଛନ୍ତି । କ’ଣ ସମାଜରେ ନିଜ ସାଥୀ ବାଛିବାର ମଧ୍ୟ ସ୍ବାଧୀନତା ନାହିଁ? ଭାରତର ରାଷ୍ଟ୍ରପତି ଓଡ଼ିଶାର ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ସାକ୍ଷାତ ପାଇଁ ସମୟ ମାଗିବୁ । ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଜା କହିଥିଲେ, ଏଠି ପ୍ରତି ୫ କିଲୋମିଟରରେ ଜଣେ ଶିଶୁ ନିର୍ଯାତନାର ଶିକାର ହେଉଥିବା ବେଳେ ପ୍ରତି ୧୦ କିଲୋମିଟରରେ ଜଣେ ଶିଶୁ ନିଖୋଜ । ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଭିନ୍ନ ପ୍ରଶାସନିକ ସ୍ତରରେ ସେଇ ସମାନ ଉଦାସୀନ ମାନସିକତା ଥିବା ଦେଖିଲୁ । ଲୋକେ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମଧ୍ୟ ଦୁଷ୍କର୍ମକାରୀ ନିର୍ଭୟରେ ବୁଲିବା ଦ୍ବାରା ଅପରାଧକୁ ପ୍ରୋତ୍ସାହନ ଦିଆଯାଉଥିବା ସ୍ପଷ୍ଟ । କଥା ଆମେରିକା ଜାଣିଲାଣି, ଅଥଚ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ୁନି ! ଓଡ଼ିଶା ପରି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟରେ ଏବେ ‘ଭ୍ରଷ୍ଟାଚାର’ ଓ ‘ବଳାତ୍କାର’ ଛଡ଼ା ଆଉ ଶବ୍ଦ ନ ଶୁଭୁଥିବା ପରି ଅନୁଭବ ହେବା ଦୁର୍ଭାଗ୍ୟଜନକ ବୋଲି ସୋଲାପୁରର ଲୋକସଭା ସାଂସଦ ପ୍ରଣିତୀ ସିନ୍ଦେ କହିଥିଲେ । ସଂପୃକ୍ତ ସ୍ଥାନଗୁଡ଼ିକର ପ୍ରଶାସନ ପ୍ରବଳ ଚାପରେ ଅଛନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ଆମକୁ ସମୟ ଦେଉନାହାନ୍ତି ସେ ସାଧାରଣ ଲୋକଙ୍କୁ କ’ଣ ଶୁଣିବେ ବୋଲି ସୁଶ୍ରୀ ସିନ୍ଦେ ପ୍ରଶ୍ନ କରିଥିଲେ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନା ନାରୀଙ୍କୁ ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି । ରାଜ୍ୟରେ ନାରୀ ହିଂସା ବଢୁଛି । ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଲା । ଦୁଃଖ ଶୁଣିଲା । ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି । ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି । ମହିଳାଟେ ଦୁଃଖ କହିବ ତ, କେଉଁଠି କହିବ? ଏଠି ଲୋକେ ବହୁତ ଆଶା ରଖି ବିଜେପିକୁ ଭୋଟ ଦେଇଥିଲେ । ହେଲେ ଏ ସରକାର ତାଙ୍କୁ ନିରାଶ କରିଛି । ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ ରିସିଭ କଲେନି । ଚିଠି ଉତ୍ତର ସୁଦ୍ଧା ଦେଲେନି ବୋଲି ଭକ୍ତ କହିଛନ୍ତି । ତିନିଜଣ ସାଂସଦଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ ଦଳକୁ ଯଦି ସରକାର ସମୟ ଦେଲେନି, ଆଉ କାହାକୁ ଦେବେ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି । କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବ ନାହିଁ । ଶେଷ ନିର୍ଯାସ ଯାଏ ଲଢ଼ିବ ବୋଲି ସେ କହିଥିଲେ । ସାଂସଦ ରଞ୍ଜିତ ରଞ୍ଜନ କହିଥିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ । ହେଲେ ପ୍ରଶାସନ ଚୁପ ହୋଇ ବସିଛି । ନିଷ୍କ୍ରିୟ ସରକାର ପାଇଁ ଆଜି ରାଜ୍ୟରେ ଏଭଳି ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି । ମହିଳା ଗଣ ଦୁଷ୍କର୍ମ ଓ ହତ୍ୟା ହେବା କଥାକୁ ସରକାର ଶୁଣିବାକୁ ନାରାଜ । ଓଡିଶା ସରକାର ଗଣଦୁଷ୍କର୍ମ କଥାକୁ ଗୋଟେ ନୂଆ କଥା କହୁଛନ୍ତି ଗ୍ରାଲଫେଣ୍ଡ ଓ ବୟଫେଣ୍ଡ କଥା। ବେଟି ବଚାନା ହେ ତୋ ବିଜେପି ସେ ବଚନା ହେ । ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ । ସେ ଓଡିଶାରୁ ଯାଇ ଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବୁ । ୧ ବର୍ଷ ହେବ ମହିଳା କମିଶନ ଗଢ଼ା ହେଉନଥିବା କଥା କହିବୁ । ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସାଂସଦ ରଂଜିତ କହିଥିଲେ । ଓଡ଼ିଶାର ମହିଳା ଗଣଦୁଷ୍କର୍ମ କଥା ରାଷ୍ଟ୍ରପତିଙ୍କ ପାଖକୁ ନେବୁ । ଦିଲ୍ଲୀରେ ଏ ପ୍ରସଂଗ ଉଠାଇବୁ । ଏଠାକାର ମୁଖ୍ୟମନ୍ତ୍ରୀ ମହିଳା ସରୁକ୍ଷା ପାଇଁ ସମୟ ନାହିଁ । ସାଂସଦ ଏସ ଯୋଥିମଣୀ କହିଲେ କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁଷ୍କର୍ମ କରି ମାରି ଦିଆଯାଇଛି । ଏଥିରୁ ରାଜ୍ୟରେ କଣ ସ୍ଥିତି ତାହା ଅନୁମାନ କରି ହେଉଛି । ଶେଷରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଅର୍ପଣ କରିଥିଲେ ।