କୋଟଗଡ଼(ଦିପେନ୍ଦ୍ର ନାୟକ): ମାଓ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ କୋଟଗଡ଼ ବ୍ଲକରେ ଲାଗିଛି ପୁଣି ମାଓ ବ୍ୟାନର l ଦୁର୍ନୀତି ବିରୋଧରେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ କୋଟଗଡ ଥାନା ଅନ୍ତର୍ଗତ କହମଗୁଡାର ଗାଜିନାଜୁ ସ୍ଥିତ କମିଟି ଘର କାନ୍ଥରେ ଲାଲ ବ୍ୟାନର ଲଗାଇ ନିଜର ସ୍ଥିତି ଜାହୀର କରିଛନ୍ତି ମାଓ ବାଦୀ l ଖବର ପାଇ ପୁଲିସ ଓ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ବ୍ୟାନର କାଢ଼ି ନେଇ ଥିବା ସୂଚନା ମିଳିଛି l ବ୍ୟାନରରେ ଉଲ୍ଲେଖ ଅନୁଯାୟୀ ଆଜାଦ ପଣ୍ଡାଙ୍କ ନିର୍ଦେଶ କ୍ରମେ ଜଳ ଛାୟାର କାମ ବନ୍ଦ କରାଯାଇଛି l ଅଞ୍ଚଳର ବିକାଶ ପାଇଁ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ଆସିଥିବା ୪କୋଟି ସରକାରି ଅନୁଦାନ ଠିକ ଭାବରେ ବିନିଯୋଗ ନ ହୋଇ ଦୁର୍ନୀତି ହୋଇଥିବା ନେଇ ବ୍ୟାନର ଜରିଆରେ ଚେତାବନୀ ଦିଆଯାଇଛି l ଏଥିରେ ସମ୍ପୃକ୍ତ ସଭାପତି, ସମ୍ପାଦକ ଓ ଯନ୍ତ୍ରୀଙ୍କୁ ଆସନ୍ତା ଜୁନମାସ ୨୨ତାରିଖ ସୁଦ୍ଧା ହିସାବ ଦେବାକୁ ପଡ଼ିବ ବୋଲି ବ୍ୟାନରେ ଉଲ୍ଲେଖ ରହିଛି l ଏହି ଆହ୍ୱାନକୁ ବେଖାତିର କଲେ ଦଣ୍ଡମିଳିବା ନେଇ ଲାଲବ୍ୟାନରରେ କଡ଼ାକଡ଼ି ସୂଚନା ଦିଆଯାଇଛି l ତେବେ ବ୍ୟାନର ଉପରେ କେବଳ ସିପିଆଇ ଉଲ୍ଲେଖ ରହିଥିବା ବେଳେ କେଉଁ ଏରିଆ ସଂଗଠନ ପକ୍ଷରୁ ବ୍ୟାନର ମରାଯାଇଛି ସେ ନେଇ କିଛି ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ନାନା ଚର୍ଚ୍ଚା ଲାଗିରହିଛି l ତେବେ ଜଳଛାୟାର କେଉଁ କାମ, କେଉଁଠି ହୋଇଛି, ସମ୍ପୃକ୍ତ ସଭାପତି କିଏ? ସମ୍ପାଦକ କିଏ? ଏବଂ ମେଜେରମେଣ୍ଟ କରିଥିବା ଯନ୍ତ୍ରୀ କିଏ? ତାକୁ ନେଇ ମଧ୍ୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ଲାଗିରହିବା ସହ କକୁଆ ଭୟ ମଧ୍ୟ ଦେଖା ଦେଇଛି l