ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମେଡିକାଲରେ ଗତ ମାର୍ଚ୍ଚ ମାସରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗର ଯାଞ୍ଚ ହୋଇଛି । ମୃତ ମହିଳା ଜଣକ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ(୩୨) । ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୯ ତାରିଖ ଦିନ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ପରିବାର ଲୋକେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ । ବୁଧବାର ଏନେଇ ଜିଲ୍ଲା ସ୍ବାସ୍ଥ ବିଭାଗର ଏକ ଟିମ୍ ଭଞ୍ଜନଗର ମେଡିକାଲରେ ପହଞ୍ଚି ହୋଇଥିବା ଅଭିଯୋଗର ତନ୍ନ ତନ୍ନ ଯାଞ୍ଚ କରି ଫେରିଛନ୍ତି । ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗର ଉପ ନିର୍ଦ୍ଦେଶିକା ଡା. ଭି.ସରୋଜିନୀ ଦେବୀ ଏବଂ ଡିଏଚ୍ଏଚର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡା.ସୁଚିତ୍ରା ସାହୁ ପୂର୍ବାହ୍ନରେ ମେଡିକାଲରେ ପହଞ୍ଚି ମେଡିକାଲ ଅଧିକ୍ଷକଙ୍କ ସମେତ ମୃତ ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ, ପ୍ରସୂତି ବିଭାଗର ଷ୍ଟାପ୍ନର୍ସ, ଆଟେଣ୍ଡାଣ୍ଟ୍, ସୁଇପର ସହ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଏସଂର୍ପକରେ ପଚାରିଥିଲେ । ତେବେ ଯାଞ୍ଚ ରିପୋର୍ଟ ସେ ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରୁଥିବା ବେଳେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ତଦନ୍ତ ଅଧିକାରୀ । ସୂଚନା ଅନୁଯାୟୀ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ଟିକିନା ସାମଲ ୬ ମାସର ଗର୍ଭବତୀ ଥିଲେ । ମାର୍ଚ୍ଚ ୨୬ ତାରିଖ ଦିନ ଅସୁସ୍ଥ ହୋଇ ପଡିବାରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଶରୀରରେ ରକ୍ତ ଅଭାବ ଥିବା କହିବା ସହ ୨ ୟୁନିଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ତାଙ୍କ ପରିବାର ପକ୍ଷରୁ ରକ୍ତ ଯୋଗାଡ କରି ଦିଆଯାଇଥିଲା । ଦ୍ବିତୀୟ ୟୁନିଟ୍ ରକ୍ତ ଦେବା ପରେ ଟିକିନା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ନର୍ସଙ୍କୁ ଅବଗତ କରାଇଥିଲେ । ଏହା ପରଠୁ ଟିକିନା ଗୁରୁତର ହୋଇ ପଡିଥିବା ବେଳେ ଡାକ୍ତରଙ୍କୁ ମଧ୍ୟ ଅବଗତ କରାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ମେଡ଼ିକାଲରେ ହିଁ ଟିକିନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା l