ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ନୂତନ ତହସିଲଦାର ଭାବେ ଧୀରୋଜ ପାତ୍ର ଯୋଗଦାନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଉଛି । ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ଦାରିଙ୍ଗବାଡି ଭାଜପା ପକ୍ଷରୁ ମଣ୍ଡଳ ସଭାପତି ମିଟୁ ସାହୁ ଏବଂ କନ୍ଧମାଳ ସାଂସଦ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଭୂମିହୀନଙ୍କୁ ତୁରନ୍ତ ଚି଼ହ୍ନଟ କରି ଜମି ଯୋଗାଇଦେବାକୁ ଭାଜପା ପକ୍ଷରୁ ନିବେଦନ କରାଯିବା ସହ ଅଞ୍ଚଳବାସୀଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉତ୍ତମ ସେବା ଯୋଗାଇଦେବାକୁ ବିଶେଷ କରି ବିଭିନ୍ନ ପ୍ରମାଣପତ୍ର ପାଇଁ ଆସୁଥିବା ହିତାଧିକାରୀଙ୍କୁ ଶୀଘ୍ର ପ୍ରମାଣପତ୍ର ପ୍ରଦାନ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତହସିଲଦାର ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥରେ ଜଣେ ଜାତିଗତ ପ୍ରମାଣ ପତ୍ର ପାଇବା ପରେ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ଆବେଦନ କରି ଖର୍ଚ୍ଚାନ୍ତ ହେଉଛନ୍ତି l ଯେହେତୁ ଜଣଙ୍କର ଜାତି କେବେ ପରିବର୍ତ୍ତନ ହୁଏ ନାହିଁ ଏଣୁ ଥରେ ଜାତିଗତ ପ୍ରମାଣପତ୍ର ପାଇବା ପରେ ବାରମ୍ବାର ଆବେଦନ ନ କରିବା ପାଇଁ ତହସିଲ ପକ୍ଷରୁ ଘୋଷଣା କରିବାକୁ ମଣ୍ଡଳ ସଭାପତି ମିଟୁ ସାହୁ ନିବେଦନ କରିଥିବା କହିଛନ୍ତି । ଏହି ସାକ୍ଷାତକାର ସମୟରେ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ, ପ୍ରଭାକର ସାହୁ, ମୀନକେତନ ସାହୁ, ମହେଶ୍ୱର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।