ରୋଗୀ ପରିବହନ ସେବା ବାଧାପ୍ରାପ୍ତ, ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମାଗଣା ରୋଗୀ ପରିବହନ ସେବା ଭଞ୍ଜନଗର ଉପଖଣ୍ଡରେ ବାଧାପ୍ରାପ୍ତ ହୋଇଛି । ରୋଗୀମାନେ ଘରୁ ମେଡିକାଲ ଆସିବା, ମେଡିକାଲରୁ ଅନ୍ୟ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସରେ ବୁଧବାର ଯିବା ସମ୍ଭବପର ହୋଇପାରିନାହିଁ । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସଂଘ ପକ୍ଷରୁ କୁହାଯାଇଛି ୧୧ ତାରିଖ ହେଲେ ମଧ୍ୟ କର୍ମଚାରୀମାନଙ୍କୁ ଦରମା ମିଳିନାହିଁ । ଫଳରେ କର୍ମଚାରୀମାନେ ଇଏମଆଇ ଦେବା, ଘର ଚଳାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ୭୦ ଜଣ କର୍ମଚାରୀଙ୍କୁ ବେନିୟମ ଭାବେ ଛଟେଇ କରାଯାଇଛି । ସେମାନଙ୍କୁ ତୁରନ୍ତ ପୁଣି ନିଯୁକ୍ତି ଦିଆଯାଉ । ଗଞ୍ଜାମ ଜିଲାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟ ଟଙ୍କା ମିଳିବାକୁ ନାହିଁ । ଗାଡ଼ିର ଟାୟାର ଠିକ ନାହିଁ । ଏସି ଅଚଳ ହେଲାଣି । ଏଭଳି ୧୦୮ ଆମ୍ବୁଲାନ୍ସ ଗାଡିର ଅନେକ ସମସ୍ୟା ଅଛି । ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଆମ ଉପରେ ଅସନ୍ତୋଷ ଝାଡୁଛନ୍ତି । ଡ୍ୟୁଟି ସମୟରେ ବିଶ୍ରାମ ନେବା ପାଇଁ ମେଡିକାଲ ପରିସରରେ ବିଶ୍ରାମ କକ୍ଷ ବ୍ୟବସ୍ଥା କରାଯାଉ । ଏଥିସହ ଅନେକ ସମୟରେ ଓଭର ଡ୍ୟୁଟି କରିବାକୁ ପଡୁଛି l ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ । ଆମ ମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ । ନଚେତ୍‌ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ସୁଭତୋଷ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।