ବୃଦ୍ଧଙ୍କୁ ହତ୍ୟା ଓ ପୋଡି ଘଟଣାରେ ୧୦ ଜଣ ଗିରଫ, ଖପୁରି, ହାଡ଼ ପାଉଁଶ ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ ୬୦ ବର୍ଷ ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ପୁଲିସ ଆଜି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରୁ ୮ ଜଣ ମହିଳା ଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି । ପୁଲିସ ଘଟଣା ସ୍ଥଳରୁ ଖପୁରି ଓ ହାଡ ପାଉଁଶକୁ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ଜବତ କରିଛି । ସୂଚନା ପ୍ରକାରେ କାମ୍ବି ମଳିକ ଗାଁରେ ରହି ମହିଳାମାନଙ୍କ ସହ ବଳ ପୂର୍ବକ ଅନୈତିକ ସମ୍ପର୍କ ରଖି ଆସୁଥିଲା । ପ୍ରତିବାଦ କରିଲେ ମାରିଦେବା ପାଇଁ ଧମକ ଚମକ ଦେଉଥିଲା । ଗତ ଦୁଇ ତାରିଖରେ ଗାଁର ଜୈନିକ ମହିଳାଙ୍କୁ ଦୁଷ୍କର୍ମ ପରେ ପୀଡିତା ମହିଳାଙ୍କ ସମେତ ଅନ୍ୟ ମହିଳାମାନେ ପ୍ରତିଶୋଧ ପରାୟଣ ହୋଇ ସଂଘବଧ ଭାବେ ବୃଦ୍ଧଙ୍କୁ ହତ୍ୟା କରି ଗାଁ ଠାରୁ ଗୋଟିଏ କିଲୋ ମିଟର ଦୂରରେ ପେଟ୍ରୋଲ ଓ ଡିଜେଲ ଢାଳି ପୋଡି ଦେଇଥିଲେ । ତେବେ ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଯଥା ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛ।