ଗଂଜେଇ ଚୋରା ଚାଲାଣ ବେଳେ ଢଉଗାଁ ଛକରୁ ୩ ଗିରଫ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚୋରା ଗଂଜେଇ ଚାଲାଣ ବେଳେ ତିନି ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୯୧ କେଜି ଗଂଜେଇ ଜବତ ହୋଇଥିବା ଅବକାରୀ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l ଶୁକ୍ରବାର ସକାଳ ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଆସିକା – ଢଉଗାଁ ଛକ ରାସ୍ତାରୁ ଏକ ପାସେଞ୍ଜର ଅଟୋ ଓଡି-୦୭ ଏ ଆର ୯୪୨୫ ନମ୍ବର ଗାଡ଼ିରେ କନ୍ଧମାଳ ଜିଲ୍ଲାର ସୀମନ ବାଡ଼ି ଅଂଚଳରୁ ଆସିକା, ଭଞ୍ଜନଗର ଦେଇ ଧରାକୋଟ ନିକଟସ୍ଥ ହରିପୁର ଗ୍ରାମରେ ରଖି ସେଠାରୁ ଅନ୍ୟତ୍ର ଚାଲାଣ ପାଇଁ ନେଉଥିବା ବେଳେ ଢଉଗାଁ ଛକ ଠାରେ ଅବକାରୀ ଟିମ ସଂପୃକ୍ତ ଅଟୋକୁ ଅଟକାଇ ତନଖି କରିଥିଲା l ସେତିକି ବେଳେ ଗାଡ଼ିର ଡ୍ରାଇଭର ତଥା ବଡ଼ଗଡ଼ ଥାନା ବରଡାବିଲି ପଞ୍ଚାୟତର ହରିପୁର ଗ୍ରାମର ଉପେନ୍ଦ୍ର ଗୌଡ଼ (୩୬) ଏବଂ ତାଙ୍କ ସହ ସେହି ଗ୍ରାମର ଜିତୁ ବିଷୋୟୀ(୨୮) ଓ ଖରିଗୁମ୍ମାର ବିପିନ ଗୌଡ଼(୩୮) ସମସ୍ତେ ଅବକାରୀ ଅଧିକାରୀଙ୍କ ହାତରେ ଗଞ୍ଜେଇ ସହ ଧରା ପଡ଼ିଥିଲେ । ବିଭାଗ ତରଫରୁ ଗାଡ଼ିରୁ ମୋଟ ୯୧ କେଜି ଓଜନର ଗଂଜେଇ ସହ ୩ ଗୋଟି ମୋବାଇଲ ସହ ଗାଡିକୁ ଜବତ କରାଯାଇଛି ଓ ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଏମାନଙ୍କ ଠାରୁ ଅଧିକ ତଥ୍ୟ ଜାଣିବା ପାଇଁ ୧୫ ଦିନ ରିମାଣ୍ଡ ରେ ଆଣିବାକୁ କୋର୍ଟକୁ ଅନୁରୋଧ କରାଯାଇଥିବା ଅବକାରୀ ଅଧିକାରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି l ଏହି ଚଢ଼ାଉ ଦକ୍ଷିଣାଞ୍ଚଳ ଅବକାରୀ ଉପ ଆୟୁକ୍ତ ଡମ୍ବୁରୁଧର ଖଣ୍ଡା ଏବଂ ଡେପୁଟି ଅରକ୍ଷୀ ଅଧିକ୍ଷକ ଶ୍ରୁତିକାନ୍ତ ରାଉତଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକାରୀ ନାରାୟଣ ଜେନାଙ୍କ ନେତୃତ୍ୱରେ କୁମୁଦ ପ୍ରଧାନ, କପିଳାସ ଭତ୍ରା, ସନ୍ତୋଷ ନାୟକ, ଲଡ଼ୁ ପାତ୍ର, ପ୍ରବୀର ସାମଲ ପ୍ରମୁଖ ସାମିଲ ଥିଲେ l