୫୯ନଂ ଜାତୀୟ ରାଜପଥ ସିମନବାଡି ନିକଟରେ କାର ଦୁର୍ଘଟଣା , ୨ଆହତ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା  ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟରେ ଏକ କାର୍‌ ଗଛରେ ପିଟି ହୋଇଛି । ତେବେ ଉକ୍ତ କାର୍‌ରେ କିଏ ଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ପୁଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଦାରିଙ୍ଗବାଡ଼ି ପଟରୁ ଯାଉଥିବା କାର୍‌ ନଂ (ଓଡି-୦୨ସିଇ- ୫୫୭୭)ଏକ ବିରାଟ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ କାର୍‌ ରେ ବେଲୁନ ଥିବାରୁ ଦୁଇଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ସାମାନ୍ୟ ଆହତ ଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ବାଲିଗୁଡା ମେଡ଼ିକାଲକୁ ପଠାଯାଇ ଥିବା ବେଳେ ରକ୍ତ ଭିଜା କାର୍‌ଟି ଥିବା ସ୍ଥାନୀୟ ଲୋକେ ଦାରିଙ୍ଗବାଡ଼ି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ  ଦାରିଙ୍ଗବାଡ଼ିରେ ପ୍ରବଳ ବର୍ଷା ହୋଇଥିବାରୁ ଗାଡ଼ି ସ୍ଲିପ୍‌ କରି ଗଛରେ ପିଟି ହୋଇଥିବା ବି ଅନୁମାନ କରାଯାଉଛି । ଏଏସ୍‌ଆଇ ଅର୍ଜ୍ଜୁନ ଶବର ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରି ଥାନାକୁ ନେବା ବ୍ୟବସ୍ଥା କରିବା ସହ ଏହାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି ।