ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ପୁଲିସ ପକ୍ଷରୁ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ମିଶନ୍ କ୍ରାଇମ୍ କ୍ଲିନ୍ ଭଞ୍ଜନଗର ଆରମ୍ଭ ହେବା ପରେ ଅପରାଧୀ ମାନଙ୍କ ମଧ୍ୟରେ ଛନକା ପଶିଛି । ଏଥି ସହ ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ମଙ୍ଗଳବାର ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ଗିରଫ କରିଛି । ୯ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ୧୬ରାଉଣ୍ଡ ବିଭିନ୍ନ ପ୍ରକାରର ଜୀବନ୍ତ ଗୁଳି ଜବତ କରିବା ସହ ଗୋଟିଏ ଲେଖାଏ କାତି ଓ ଖଣ୍ଡା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି । ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ସୋମବାର ରାତିକାଳୀନ ପେଟ୍ରୋଲିଂ ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଯୁବକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଞ୍ଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲିର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲ। ଏହା ପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡା ଘରେ ରହିଥିବା ସେମାନେ କହିଥିଲେ। ପୁଲିସ ଲଣ୍ଡେଇସାହି ସ୍ଥିତ ଭଡା ଘରେ ଚଢ଼ାଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ,ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ,ଜିଲୁଣ୍ଡି ର ବାଦଲ ସାହୁ ଏବଂ ବିଞ୍ଝିଗିରୀ ର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ,ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଏସ୍ପି ଶ୍ରୀ ଦେ କହିଛନ୍ତି। ବେଆଇନ ଭାବେ ବନ୍ଧୁକ ରଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବନ୍ଧୁକ ଗୁଡିକ କେଉଁଠାରୁ ଆସୁଥିଲା ତାହାର ସୁରାକ ମିଳିଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ। ମୁଖ୍ୟ ଆସାମୀ ମାନକୁ ମଧ୍ୟ ଗିରଫ କରାଯିବ ବୋଲି ଏଏସପି ଶ୍ରୀ ଦେ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଜିତ କୁମାର ନାୟକ,ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, ଲିପିନା ବିଶ୍ୱାଳ, ଏଏସଆଇ ସତ୍ୟ ନାରାୟଣ ମଳିକ, ଶରତ ଚନ୍ଦ୍ର ପଣ୍ଡା, ଶୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲୀପ ରାଉତ, କନେଷ୍ଟବଳ ସନ୍ତୋଷ ନାୟକ, କେ ପି ରେଡ୍ଡୀ, ବିକ୍ରମ ମହାରଣା, ଅମିତ୍ ବିଶ୍ବାଳ, ଜି ସାଗର ପ୍ରଧାନ, ଗୃହରକ୍ଷୀ ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l