ଆଲାଞ୍ଜୁରୀରେ ଦେଶୀ ମଦ ବିରୋଧି ଅଭିଯାନ, ଏକାଠି ହେଲେ ଅଞ୍ଚଳ ବାସୀ…

ଦାରିଙ୍ଗବାଡି(ଆଶୋକ ସିଂ): ପ୍ରତ୍ୟେକ୍ଷରେ ହେଉ ବା ପରୋକ୍ଷରେ  ମଦ୍ୟ ପାନରେ ଆସକ୍ତ ଥିବା ବ୍ୟକ୍ତିର ଶାରିରୀକ, ମାନସିକ, ଆଧ୍ୟାତ୍ମିକ, ଆର୍ଥିକ କ୍ଷତି ହେବା ସହ ପରିବାରରେ ଅଶାନ୍ତି, କଳହ, ଝଗଡ଼ା ଲାଗି ରହୁଛି । ଅନେକ ଲୋକ ଅକାଳ ମୃତ୍ୟୁର ଶିକାର ହେଉଥିବା ନଜିର ରହିଛି । ଅତି କମ୍ ବୟସର ପିଲାମାନେ ମଦ୍ୟପାନରେ ଆସକ୍ତ ରହି ବିଭିନ୍ନ ଅପରାଧ ଜନିତ କାର୍ଯ୍ୟ କରିବା ସହ ସମାଜରେ ବିଶୃଙ୍ଖଳିତ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ଏବଂ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ପ୍ରକାଶ ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଅଲାଞ୍ଜୁରି ଗ୍ରାମରେ ଅବାଧ ମହୁଲି ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଗତ କିଛି ମାସ ତଳେ ଗ୍ରାମବାସୀ  ଯୁବସଂଘ, ଆଞ୍ଚଳିକ ମହିଳା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଥିଲେ । କିନ୍ତୁ ତାହାର କୌଣସି ସୁଫଳ ନ ମିଳିଲା ନାହିଁ ବରଂ ତାହା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଅଲାଞ୍ଜୁରୀ ଗ୍ରାମ ବାସୀ ଓ ଆଞ୍ଚଳିକ ମହିଳା ସଙ୍ଗଠନ ପକ୍ଷରୁ  ଶୁକ୍ରବାର ଦିନ ଅଞ୍ଚଳର ବୁଦ୍ଧିଜିବୀ ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ଆହ୍ଵାନ କରି ଏକ ସ୍ବତନ୍ତ୍ର ବୈଠକ ର ଅୟୋଜନ କରାଯାଇ ଥିଲା । ଉକ୍ତ ବୈଠକରେ ମଦ ରନ୍ଧା ଓ ବିକ୍ରୀରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଉକ୍ତ ବୈଠକରେ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେବା ସହ ସେମାନଙ୍କ ଠାରୁ ଲିଖିତ ପ୍ରତିଶୃତି ମଗା ଯାଇ ଥିଲା । ମଦ କାରବାର ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହ ଅଞ୍ଚଳ ବାସୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଗ୍ରାମର ସଭାପତି ରାଜେନ୍ଦ୍ର ସିଂଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଗଦା ପୁର ସରପଞ୍ଚ କୁମାରୀ ମଲ୍ଲିକ , ଗଜପତି ଜିଲ୍ଲା କଟାମା ପଞ୍ଚାୟତର ପୁର୍ବତନ ସରପଞ୍ଚ ହାଡ଼ିଆ କନ୍ଧ, ପୂର୍ବତନ ସମିତି ସଭ୍ୟଶୁଭ ମନ୍ତ୍ରୀ, ମାନାବାଧିକାର ଜିଲ୍ଲା ସଂଯୋଜକ ବିକ୍ରମ ବସ୍ତିରାୟ, ଶରତ ନାୟକ, ସନାତନ ସ୍ୱାଲ୍ ସିଂ, ଅଜିତ କୁମାର ପରିଚ୍ଛା, ଅନିତା ମାଝୀ, ଉଇଲିୟମ ସିଂ, ରମାକାନ୍ତ ସିଂ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆଖ ପାଖ ଅଞ୍ଚଳର ବୁଦ୍ଧିଜୀବୀ ଓ ମହିଳା ସଙ୍ଗଠନମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଭକ୍ତିନି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।