୨୬ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୪ ଗିରଫ..

ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳରୁ ଭଞ୍ଜନଗର ଭାୟା ଭୁବନେଶ୍ୱର ଦେଇ ବସ୍ ଯୋଗେ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୁରୁବାର ଭଞ୍ଜନଗର ପୁଲିସ ନିଧିଆପଲ୍ଲୀ ଛକରୁ ୨୬.୫୬୦ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଭଞ୍ଜନଗର ପୁଲିସ ଏକ ଘରୋଇ ବସର କଣ୍ଡକ୍ଟରଙ୍କ ସମେତ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଉତରପଦା ଥାନା ଇଲାକାର ରାଜୁ ଶଙ୍କର, ଉତ୍ତମ କୁମାର ସିଂ, ସମିର କୁମାର ଦୁବେ ଓ ମା ଲଷ୍ମୀ ବସର କଣ୍ଡକ୍ଟର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତିର ଧର୍ମେନ୍ଦ୍ର ପଟ୍ଟନାୟକ । ଏହା ସହ ସେମାନଙ୍କ ନିକଟରୁ ୩ ହଜାର ୪୦୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଗୁରୁବାର ସକାଳୁ ଭଞ୍ଜନଗର ଥାନା ପକ୍ଷରୁ ଏସଆଇ ଲକ୍ଷ୍ମୀଧର ମହାନ୍ତିଙ୍କ ନେତୃତ୍ବରେ ଭଞ୍ଜନଗର ଫୁଲବାଣୀ ରାସ୍ତାର ମୁଜାଗଡ ନିକଟରେ ପେଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ନିଧିଆପଲ୍ଲୀ ଛକରେ ଥିବା ଯାତ୍ରୀନିବାସ ଠାରେ ତିନି ଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥା ଥିବା ସହ ଜରି ବସ୍ତାରେ କିଛି ସାମଗ୍ରୀ ଥିବା ଦେଖି ପୁଲିସର ସନ୍ଦେହ ହୋଇଥିଲା । ପରେ ପୁଲିସ ସେମାନଙ୍କୁ ପଚରା ଉଚରା କରିବା ସହ ଜରି ଅଖା ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜରି ଅଖାରୁ ଗଞ୍ଜେଇ ମିଳିଥିଲା । ଏହି ଗଞ୍ଜେଇକୁ ସେମାନେ  କନ୍ଧମାଳରୁ ଆଣି ଭଞ୍ଜନଗର ଭାୟା ଭୁବନେଶ୍ୱର ଦେଇ କୋଲକାତା ନେଉଥିବା ପଚରାଉଚରା ବେଳେ ଜଣା ପଡିଥିଲା । ଏହା ସହ ମା ଲଷ୍ମୀ ବସ୍ ର କଣ୍ଡକ୍ଟର ଏ ଦିଗରେ ସେମାନଙ୍କୁ ସହଯୋଗ କରୁଥିବା ସେମାନେ କହିଥିଲେ । ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଏ ନେଇ କେସନଂ ୫୮୪/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।