ବାଇବାଲି ଅଞ୍ଚଳରେ ହାତୀପଲ ଉପଦ୍ରବ: ଭାଙ୍ଗିଲେ ସ୍କୁଲ, ବ୍ୟାପକ କ୍ଷୟକ୍ଷତି..

ଭଞ୍ଜନଗର(ନିଲୁ ବିଷୋୟୀ): ଗତ କିଛି ମାସରେ ନୀରବତା ପରେ ହାତୀପଲ ପୁଣି ମାତିଛନ୍ତି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ ଜନବସତି ଆଡକୁ ଆସି ବ୍ୟପକ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଗତକାଲି ରାତିରେ ୨୭ ଟିକିଆ ହାତୀପଲ ଡହ ଇଲାକାରୁ ମୁଜାଗଡ଼ ରେଞ୍ଜ ବାଇବାଲି ସେକ୍ସନର ବିରିକୋଟ ଗ୍ରାମରେ ଭଙ୍ଗାରୁଜା କରିଥିଲେ । ହାତୀପଲ ଗ୍ରାମ ବିଦ୍ୟାଳୟର ଦୁଇଟି ଝରକାକୁ ଭାଙ୍ଗି ଦେଇଛନ୍ତି । ଏଥିସହ ଉକ୍ତ ଗ୍ରାମର ବିରଞ୍ଚି ନାୟକଙ୍କ ପତ୍ନୀ ରୀତା ନାୟକଙ୍କ ଘରକୁ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏଥିସହ ଅନ୍ୟକିଛି ବ୍ୟକ୍ତିଙ୍କ ଘର ନିକଟରେ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଖାଦ୍ୟ ଅନ୍ବେଷଣରେ ଆସି ହାତୀପଲ ଏହି କାଣ୍ଡ ଭିଆଇଥିବା ବିଭାଗୀୟ କର୍ମଚାରୀମାନେ ଅନୁମାନ କରୁଛନ୍ତି । ଖବର ପାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସକାଳୁ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହାତୀପଲ ଯେପରି ଜଙ୍ଗଲରୁ ନବାହାରିବେ ସେ ନେଇ ନଜର ରଖିବାକୁ ବନପାଳ ଟୁନା ମଲ୍ଲିକ, ବନରକ୍ଷୀ ପ୍ରଦ୍ୟୁମ୍ନ ବିଷୋୟୀ ଓ କର୍ମଚାରୀମାନଙ୍କୁ ସଜାଗ ରହିବାକୁ କହିଥିଲେ । ହାତୀ ଦ୍ବାରା ହୋଇଥିବା କ୍ଷୟକ୍ଷତି ଆକଳନ କରିବା ପରେ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।