ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଚାଲିଛି ସିଧା ସଳଖ ଲାଞ୍ଚ କାରବାର । ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି l କେହିଜଣେ ସଚେତନ ନାଗରିକ ଚତୁରତାର ସହ ତହସିଲ କାର୍ଯ୍ୟାଳୟର ଅସଲ ମୁଖା ଖୋଲିଛନ୍ତି । ତେବେ ପ୍ରଶାସନ ଏ ନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା । ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ । ମାସ ମାସ ବିତିଯାଉଛି l ହେଲେ କାମ ହେଉନାହିଁ l ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ସେମାନଙ୍କୁ ପ୍ରମାଣ ପତ୍ର ପାଇବାକୁ ହେଲେ ଦେବାକୁ ପଡୁଛି ଲାଞ୍ଚ । ଯିଏ ଏହା ଦେଇପାରିବନି ତାର ପ୍ରମାଣପତ୍ରକୁ ଅବିଳମ୍ବେ ରଦ୍ଦ କରିଦିଆଯାଉଛି । ଆଉ ଲାଞ୍ଚ ସିଧା କୌଣସି ଅଫିସର କି କିରାଣୀ ନେଉନାହାନ୍ତି ଏହି କାର୍ଯ୍ୟକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା କରାଯାଉଛି । ଏଭଳି ଲାଞ୍ଚନେଇ ଜଣେ କିରାଣୀଙ୍କ ଟେବୁଲ ଡ୍ରରେ ଗୁଞ୍ଜା ମାରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ସୂଚନା ମୁତାବକ, ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ୫୦୦ ଟଙ୍କା ମାଗିଥିଲେ । କିରାଣୀଙ୍କ ପାଖରେ ଥିବା ମହିଳା କର୍ମଚାରୀଜଣଙ୍କ ୫୦୦ ଟଙ୍କା ସଂପୂକୁ ବ୍ୟକ୍ତିଙ୍କ ଠାରୁ ନେଇ କିରାଣୀଙ୍କୁ ଟେବୁଲ୍ ତଳେ ଥିବା ଡ୍ର ମଧ୍ୟରେ ରଖି ଦେଉଥିବା ଭିଡ଼ିଓ ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । କିଛି ବର୍ଷ ହେବ ବିନା ଦଲାଲରେ ତହସିଲ କାର୍ଯ୍ୟାଳୟରେ କୌଣସି କାମ ହେଉ ନଥିବା ବେଳେ ପ୍ରତ୍ୟେକ କାମ ପାଇଁ ଲାଞ୍ଚ ଦେବାକୁ ପଡୁଛି । ଲାଞ୍ଚ ବିନା କୌଣସି କାମ ଉକ୍ତ କାର୍ଯ୍ୟାଳୟରେ ହେଉ ନଥିବା ବେଳେ ତହସିଲଦାର ମଧ୍ୟ ଜାଣିଶୁଣି ନୀରବ ରହୁଛନ୍ତି । ତେଣୁ ତହସିଲଦାରଙ୍କ ଜାଣତରେ ଏସବୁ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏନେଇ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା ।