ଗଦାପୁରରେ ଅଘଟଣ, ଆମ୍ବ ଗଛରୁ ପଡ଼ି ଜଣେ ମୃତ…..

ଦାରିଙ୍ଗବାଡି(ଆଶୋକ ସିଂ): ଆମ୍ବ ତୋଳିବାର ହେଲା କାଳ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଗ୍ରାମରେ । ଉକ୍ତ ଗ୍ରାମର ବାଉରୀ ପାତ୍ର ବୟସ ପ୍ରାୟ ୬୦, କଞ୍ଚା ଆମ୍ବ ତୋଳିବାକୁ ଯାଇ ମୃତ୍ୟୁର ଶିକାର ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଗ୍ରାମାଞ୍ଚଳର ଲୋକେ ଆମ୍ବୁଲ ପ୍ରସ୍ତୁତ କରିବା ପାଇଁ କଞ୍ଚା ଆମ୍ବ ସଂଗ୍ରହ କରିଥାନ୍ତି, ସେଥିରୁ ଆମ୍ବୁଲ ପ୍ରସ୍ତୁତ କରି ନିଜ ପାଇଁ ଗଚ୍ଛିତ ରଖିବା ସହ କିଛି ରୋଜଗାର ମଧ୍ୟ କରିଥାନ୍ତି । କିନ୍ତୁ ଏହା ଯେ ଜୀବନ ନେବ ଏକଥା କାହାକୁ ଅବା ଜଣା । ଦୁର୍ଭାଗ୍ୟର ବିଷୟ ଗଦାପୁର ଗ୍ରାମ ରଥ ସାହି ନିବାସୀ ବାଉରୀ ପାତ୍ର ଶନିବାର ଦିନ କଞ୍ଚା ଆମ୍ବ ସଂଗ୍ରହ କରିବା ପାଇଁ ନିକଟସ୍ଥ ଆମ୍ବ ତୋଟାକୁ ଯାଇଥିଲେ। ଗଛ ଚଢ଼ି ଆମ୍ବ ତୋଳିବା ସମୟରେ ଗଛର ଶାଖା ଭାଙ୍ଗି ଯିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି କ୍ଷତାକ୍ତ ହୋଇ ଥିଲେ l ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏନେଇ ବ୍ରାହ୍ମଣୀଗାଁ ଥାନା କେଶ ନଂ ୪/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଜାରିରଖିଥିବା ନେଇ ଥାନା ଏ ଏସ ଆଇ ରମାକାନ୍ତ ସେଠୀ ସୂଚନା ଦେଇଛନ୍ତି ।