ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ପାର୍କ ଯାନ୍ତ୍ରିକ ତ୍ରୁଟି ସକାଶେ ବନ୍ଦ ରହିଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ପାର୍କ ପରିସରରେ ନବ ନିର୍ମିତ ଫୁଡ କୋର୍ଟକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଆଇସକ୍ରିମର ଷ୍ଟଲ ସବୁ ରହିଛି । ଏଥି ସହିତ ଓ୍ବାଟର ପାର୍କ ପୁନଃ ସମ୍ପ୍ରସାରଣ ଅବସରରେ ବିଧାୟକ ନାୟକ କହିଥିଲେ ଯେ ଉକ୍ତ ପାର୍କକୁ ରାଜ୍ୟର ଏକ ନମ୍ବର ପାର୍କ କରାଯିବ । ଏଥିପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଏହି ଗ୍ରୀଷ୍ମ ଋତୁରେ ୱାଟର ପାର୍କ ଖୋଲିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ତାହାର ମଜା ଉଠାଇବେ । ଆଗାମୀ ଦିନରେ ଭଞ୍ଜନଗର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଏଥିସହ ଆମ ଅଞ୍ଚଳର ଅନେକ ପରିବାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଉପଜିଲାପାଳ ଉମା ଶଙ୍କର ବେହେରା, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ, କର୍ମଚାରୀ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ୱାଟରପାର୍କ ୬ ମାସ ଚାଲିବା ପରେ ପରିଚାଳନାଗତ ତ୍ରୁଟି ଯୋଗୁ ତାହା ବନ୍ଦ ହୋଇଯାଇଥିଲା । କିଛି ମାସ ପୂର୍ବେ ବିଧାୟକ ଶ୍ରୀ ନାୟକ ଏହା ଜାଣିବା ପରେ ତାହା ପୁଣି କିଭଳି ଚାଲିବ ସେଥିପାଇଁ ବ୍ୟବସ୍ଥା କରିଥିଲେ । ୱାଟର ପାର୍କର କିଛି କାର୍ଯ୍ୟ ସମ୍ପ୍ରସାରଣ କରାଯିବା ସହ ଅଚଳ ଯନ୍ତ୍ରପାତି ମରାମତି କରାଯାଇ ପୁଣି ଖୋଲିବା ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ଅଞ୍ଚଳବାସି ଖୁସିବ୍ୟକ୍ତ କରିବା ସହ ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଡହ ସହକାରୀ ର୍ନିବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ଯନ୍ତ୍ରୀ ଶାନ୍ତନୁ ସାହୁ, ଅସଲମ ଖାନ, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ସହକାରୀ ର୍ନିବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।