ତିନି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଜିଲ୍ଲା ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ତାଲା ନ ଖୋଲିବା ନେଇ ସୂଚନା….

ରାୟଗଡ଼(ଟିକି ଲିମା): ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ  ଲାଗିଛି । ପଞ୍ଚାୟତରେ ଥ‌ିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ପାଳି କରି ଆସୁଛନ୍ତି । ଏନେଇ ଅଭିଭାବକ ବ୍ଲକ ପ୍ରଶାସନ ଠାରୁ ଆରମ୍ଭକରି ଜିଲା ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସୋମବାର ମଧ୍ୟ ସମାନ ସ୍ଥିତି ପରିଲିକ୍ଷିତ ହୋଇଥିଲା । ବର୍ତ୍ତମାନ ଛାତ୍ରୀ ଛାତ୍ରଙ୍କ ପ୍ରବେଶିକା ଋତୁ ଚାଲିଛି । ପିଲାମାନେ ଶିକ୍ଷକଙ୍କ ଅନୁପସ୍ଥିତିରୁ ନିରାଶରେ ଫେରିଯାଉଥିବା ଦେଖ୍ ଅସନ୍ତୋଷ ହୋଇ ବିଦ୍ୟାଳୟ ଗୁଡିକରେ ତାଲା ପକାଇ ଦେଇଛନ୍ତି ସରପଞ୍ଚ ହରି ବନ୍ଧୁ କାର୍ଜୀ । ସିଆରସିସିଙ୍କ  ମଧ୍ଯ ଠିକ୍ ଭାବରେ କାର୍ଯ୍ୟ କରନ୍ତି ନାହିଁ ବୋଲି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏହାର ସ୍ଥାୟୀ ସମାଧାନ କରିବା ଏବଂ ଜିଲ୍ଲା ପ୍ରଶାସନ ନ ଆସିବା ଯାଏ ବିଦ୍ୟାଳୟରେ ତାଲା ଖୋଲା ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାଯତର ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ସୋମବାର ସୀମାନ୍ତରେ ଥିବା ୩ଟି ସ୍କୁଲରେ ତାଲା ପକାଇଛନ୍ତି ଗଙ୍ଗାବାଡ ସରପଞ୍ଚ ହରିବନ୍ଧୁ କାର୍ଜି। ପ୍ରତିଦିନ ଶିକ୍ଷକମାନେ ସ୍କୁଲକୁ ପାଳି କରି ଆସୁଛନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ କରୁପକ୍ଷ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ବାରମ୍ବାର କହିବା ପରେ ସ୍ଥିତିରେ ସୁଧାର  ନ ଆସିବାରୁ ଆଜି ଏଭଳି ନିଷ୍ପତି ନେଇଥିବା ସରପଞ୍ଚ ଶ୍ରୀ କାର୍ଜି କହିବା ସହ ଜିଲାପାଳ ଆସି ଘଟଣାର ତଦନ୍ତ କରିବା ପରେ ବିଦ୍ୟାଲୟରୁ ତାଲା ଖୋଲାଯିବ ବୋଲି କହିଛନ୍ତି । ଆନ୍ଧ୍ର ସୀମାରେ ଥିବା ରାୟଗଡ଼ ବ୍ଲକର ଗଙ୍ଗାବାଡ ପଞ୍ଚାଯତ ଏକ ଅପହଞ୍ଚ ଇଲାକା । ଏହାର ଫାଇଦା ନେଇ ଏହି ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବଜାକୁ ନେବାକୁ ଆନ୍ଧ୍ର ସରକାର ସବୁ ବେଳେ ପ୍ରୟାସ କରୁଛନ୍ତି । ଏଭଳି ସ୍ଥିତିରେ ଗଙ୍ଗାବାଡ଼ ପଞ୍ଚାୟତରେ ଥିବା କେବଳ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାଡିଦେଲେ ମାଣିକପାଟଣା, ଶଗଡ଼ିଆ ଓ ଚମ୍ପାପୁର ଠାରେ ଥିବା ପ୍ରାଥମକ ବିଦ୍ୟାଳୟକୁ ନିଯୁକ୍ତ ଶିକ୍ଷକମାନେ ପ୍ରତିଦିନ ଆସୁନାହାନ୍ତି । ପଞ୍ଚାୟତ ବାସୀଙ୍କ ଅଭିଯୋଗକୁ ଭିଭିକରି ସରପଞ୍ଚ ଆଜି ସ୍କୁଲ ସବୁ ପରିଦର୍ଶନ କରିଥିଲେ । ଶଗଡ଼ିଆ ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ମଧ୍ୟରୁ କେବଳ ଜଣେ ମାତ୍ର ଶିକ୍ଷକ ସ୍କୁଲରେ ଥିଲେ l ସେହିଭଳି ମାଣିକ ପାଟଣା ସ୍କୁଲରେ ଚାରି ଜଣ ଶିକ୍ଷକ ମଧ୍ୟରୁ ଜଣେ ମାତ୍ର ଉପସ୍ଥିତ ଥିଲେ ଏବଂ ଚମ୍ପାପୂର ସ୍କୁଲରେ ଦୁଇ ଜଣ ଶିକ୍ଷକ ସ୍କୁଲରେ ଥିଲେ କିନ୍ତୁ ପିଲାଙ୍କୁ ପାଠ ନ ପଢ଼ାଇ ଅଫିସ ରୁମରେ ଗପ ମାରି ବସିଥିଲେ । ଏହା ଦେଖି ସରପଞ୍ଚ ନିଜେ ବିଦ୍ୟାଳୟକୁ ଯାଇ ପ୍ରାୟ ଅଧଘଣ୍ଟା ପିଲା ମାନଙ୍କୁ ପାଠ ପଢ଼ାଇ ଥିଲେ ମଧ୍ଯ ଶିକ୍ଷକ ମାନେ ଜାଣି ପାରି ନ ଥିଲେ । ଏପରି ଗଙ୍ଗାବାଡ ପଞ୍ଚାଯତରେ ଶିକ୍ଷା ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରିଛନ୍ତି । ଏଠାରେ ନିଯୁକ୍ତ ଶିକ୍ଷକମାନେ ପାଳି କରି ଆସି କେବଳ ସ୍କୁଲ ବୀଳମ୍ଭରେ ଖୋଲିବା ଓ ମଧ୍ୟାହ୍ନ ଭୋଜନ ପରେ ପରେ ବନ୍ଦ କରି ନିଜ ନିଜ ଘରକୁ ଚାଲି ଯାଆନ୍ତି । ଫଳରେ ପିଲାଙ୍କ ସଠିକ୍ ପାଠ ପଢ଼ା ହୋଇପାରୁନାହିଁ । ଏ ନେଇ ପିଲା ଓ ଅଭିଭାବକମାନେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରି ଆସୁ ଥିଲେ । ସରପଞ୍ଚ ମଧ୍ଯ ଶିକ୍ଷକମାନଙ୍କୁ ତାଗିଦ୍ କରିଥିଲେ । ତଥାପି ନ ଶୁଣିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଛି ତଥାପି କୌଣସି ସୁଫଳ ମିଳିନଥିଲା । ଆଜି ଖୋଦ୍ ସେ ବିଦ୍ୟାଳୟ ପରିଦର୍ଶନ କଲା ବେଳେ ପାଳି ପଡ଼ିଥିବା ଶିକ୍ଷକଙ୍କ ବ୍ୟତୀତ ଅନ୍ୟମାନେ ଅନୁପସ୍ଥିତ ଥିଲେ । ତେଣୁ ବାଧ୍ୟ ହୋଇ ସେ ଏଭଳି ନିଷ୍ପତି ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ଦ୍ଵାରା ଆଜି ମଧ୍ଯ ଶିକ୍ଷକମାନେ ସୁଧୁରି ନାହାଁନ୍ତି ଓ ଆଜି ଏପରି ଘଟଣା ହେଲା ବୋଲି ସରପଞ୍ଚ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ଜରିଆରେ କହିବା ପରେ ମଧ୍ୟ ଦୁଇ ଦିନ ହେଲା ସ୍କୁଲରେ ତାଲା ପଡିଛି । ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଠାକୁ ଆସି ଏହାର ସମାଧାନ ନ କରିଲେ ଆମେ ତିନୋଟି ବିଦ୍ୟାଳୟର ପିଲା,ଅଭିଭାବକ ଓ ସମିତି ସଭ୍ୟ ୱାର୍ଡ ମେମ୍ବର ଓ ମୁଁ ନିଜେ ଯାଇ ଡି.ଇ.ଓ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସରପଞ୍ଚ ଶ୍ରୀ କାର୍ଯି ପ୍ରକାଶ କରିଛନ୍ତି ।