ତେନ୍ତୁଳି ଗଛ ଭାଙ୍ଗିଲା ଦୁଇ ଘର, ଅଳ୍ପକେ ବର୍ତ୍ତିଲା ଦୁଇ ପରିବାର ଲୋକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କାଟିଙ୍ଗିଆରେ ଘଟିଛି ଏକ ଅଭାବନୀୟ ଘଟଣା l ସୋମବାର ବିଳମ୍ବିତ ରାତ୍ରୀରେ ବିରାଟକାୟ ତେନ୍ତୁଳି ଗଛ ପଡ଼ି ଦୁଇଟି ଘର ଭାଙ୍ଗି ନଷ୍ଟ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ରହି ଥିବା ଲୋକେ । ସୂଚନା ଅନୁଯାୟୀ ତୁମ୍ବେଶ୍ୱର ଦଳବେହେରାଙ୍କ ବାରିପଟ ଥିବା ଏକ ବିଶାଳ କାୟ ପୁରୁଣା ତେନ୍ତୁଳି ଗଛରେ ନିଆଁ ଲାଗି ଯାଇଥିଲା l ସମସ୍ତେ ଖାଇ ପିଇ ଶୋଇ ଥିବା ସମୟରେ ବିଳମ୍ବିତ ରାତ୍ରୀରେ ହଠାତ୍ ଗଛଟି ପଡି ଯିବାରୁ ପଡ଼ିଶାରେ ଥିବା ଉଲାସି ପାଇକ ଓ ବର୍ଜିଆ ପାତ୍ରଙ୍କ ଘର ଉପରେ ପଡ଼ି ଉଭୟ ଘରର ରୋଷେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଘରର ଆସବାପତ୍ର, ଘରୋଇ ଉପକରଣ ଗୁଡ଼ିକ ନଷ୍ଟ ହୋଇ ଥିବା ଜଣା ପଡ଼ିଛି l ଭାଗ୍ୟ ବଶତଃ ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ଏନେଇ ଉଷାବତୀ ପାତ୍ର ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଇଆଇସି ବିଜୟ କୁମାର ହାଇବୁରୁ , ଏଏସଆଇ ରମାକାନ୍ତ ସେଠୀଙ୍କ ସମେତ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବନବିଭାଗର ସହାୟତାରେ ଉକ୍ତ ଗଛକୁ ହଟେଇବା ବ୍ୟବସ୍ଥା କରିଥିବା ବେଳେ ଥାନା କେଶ ନଂ ୪୫/୨୫ରେ ଏକ ମାମଲା ରୁଜ୍ଜୁ କରିଥିବା ଏଏସଆଇ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।