ସିମନବାଡ଼ିରେ ପଞ୍ଚୁଦଣ୍ଡ ମହାମିଳନ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରମ୍ପରିକ କୃଷି, ଖାଦ୍ୟ, ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ ଦେଖିବାକୁ ମିଳିଥିଲା । କାହିଁ କେଉଁ ଅମଳରୁ କନ୍ଧମାଳରେ ହେଉଥିବା ଦଣ୍ଡ ନୃତ୍ୟରେ ପରମ୍ପରିକ ନୃତ୍ୟ ସଙ୍ଗୀତ ସହ ବିଭିନ୍ନ ଦୃଶ୍ୟ ଏବେ ମଧ୍ୟ ଯୁବପିଢିଙ୍କୁ ଆକୃଷ୍ଟ କରୁଛି । ଦର୍ଶକ ଭାବେ ଅଧିକ ଯୁବପିଢ଼ି ଏହି ନୃତ୍ୟକୁ କଳାକାର ଭାବେ ଅଭିନୟ କରୁଥିବାବେଳେ ଦର୍ଶକ ଭାବେ ମଧ୍ୟ କଳାକାରଙ୍କୁ ଦେଖିବାକୁ ମିଳୁଛି । ଧୂଳି ଦଣ୍ଡରେ କୃଷି ଓ ପାରମ୍ପରିକ ମାଛ ଧରିବା ଜନଜାତିଙ୍କ ଚଳଣି, ସେମାନଙ୍କ ଖାଦ୍ୟ ସାହୁକାର ଋଣ, ବନ ବିଭାଗର ଜଙ୍ଗଲ ସୁରକ୍ଷା ପାଇଁ କିଭଳି ଦାୟିତ୍ୱ ଜଙ୍ଗଲରେ ବଣ୍ୟଜନ୍ତୁକୁ କିଭଳି ସୁରକ୍ଷା ଦିଆଯିବା ଆବଶ୍ୟକ ସେଭଳି ସମସ୍ତ ଦୃଶ୍ୟ ଧୂଳି ଦଣ୍ଡରେ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଧୂଳି ଦଣ୍ଡ ସାରିବା ପରେ ଜଳ ଦଣ୍ଡ ଏବଂ ସଂଧ୍ୟା ୭ଟାରେ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାପାତ୍ର ମିଳନ ସହ ଅଧିକାରୀ ମିଳନ, ଠାକୁର, ପରଭା, ତ୍ରିଶୂଳ, ପାଟଭୁକ୍ତା, ଚମ୍ପାବରିଆ, ପାଟ ଢୋଲିଆ, ଦଣ୍ଡ ଓ ଜଳ ଦଣ୍ଡ ମିଳନ ସହ ଚାମର ସେବା, ଆଳତି କାର୍ଯ୍ୟକ୍ରମ କରାଯାଇ ଥିଲା । ଗୁଞ୍ଜିବାଡି ଗ୍ରାମ ସମେତ ଗ୍ରୀନବାଡି, ଡାଉଙ୍ଗିଆ, ଡାମିଗୁଡା ଏବଂ କେଲେମାହାରୁ ଦଣ୍ଡ ଥଳ ପହଞ୍ଚି ପଞ୍ଚୁଦଣ୍ଡ ମିଳନରେ ସାମିଲ ହୋଇ ଥିଲେ । ପ୍ରକାଶ ଯେ, ପ୍ରଥମେ ପାଞ୍ଚଟି ଦଣ୍ଡଥଳ ସିମନବାଡି ପଟ୍ଟାଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ତାଙ୍କୁ ସିମନବାଡି ପଞ୍ଚୁଦଣ୍ଡ ପରିଚାଳନା କମିଟି ପକ୍ଷରୁ ବରଣ ପୂଜା କରାଯାଇଥିଲା । ପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଦଣ୍ଡ ଦଳମାନେ ବୀଣାକାରଙ୍କ ସମେତ ପାଟଭୁକ୍ତା, ଅଧିକାରୀ, ଢୋଲ, ମହୁରୀ, ଘଣ୍ଟ ବଜାଇ ସିମନବାଡି ଛକରେ ଥିବା ଦୁର୍ଗା ମନ୍ଦିରରେ ପହଞ୍ଚି ସେଠାରେ ବନ୍ଦନା ଗାନ କରିଥିଲେ । ଏହି ଅବସରରେ ହୁଳହୁଳି, ଘଣ୍ଟ, ଢୋଲ ଶବ୍ଦରେ ସିମନବାଡି ପ୍ରକମ୍ପିତ ହୋଇଥିଲା ।