ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ହସ୍ତଗତ ହୋଇଛି l ତିନି ଗୁରୁତର ହେଲେ ଅରୁଣ ବେହେରା (30), ଭିକାରୀ ବେହେରା (18), ଜଗା ବେହେରା (18) l ଗୁରୁତର ଆହତଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଥାଉକି ଗତ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା l ଆଜି ସନ୍ଧ୍ୟା ସମୟରେ ପୋଖରୀରୁ ସ୍ନାନ କରି ଘରକୁ ଉଭୟ ଗୋଷ୍ଠୀର ଲୋକେ ଫେରୁଥିବା ସମୟରେ ଉଭୟ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା l ଏହି ଅଳ୍ପ ପାଟି ତୁଣ୍ଡ ରୁ କଥା ବିରାଟ ରୂପ ଧାରଣ କରି ହଣାହାଣୀ ପର୍ଯ୍ୟନ୍ତ ପହଁଚିଥିଲା l ଗୋଟିଏ ଗୋଷ୍ଠିର ଖଣ୍ଡା ଦ୍ଵାରା ଆକ୍ରମଣରେ ଗୋଟିଏ ପରିବାରର ବାପା ଖଦାଳ ବେହେରା (65) ଓ ପୁଅ ରତ୍ନାକର ବେହେରା (40) ଉଭୟ ଘଟଣା ସ୍ଥଳରେ ଗାଁ ଦାଣ୍ଡରେ ମରି ପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠି ର ୦୪ ଗୁରୁତର ଅବସ୍ଥାରେ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଥି ମଧ୍ୟରୁ ରମେଶ ବେହେରା (45) ଧରାକୋଟ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପୁଲିସ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରକାଶ ଯୋଗ୍ୟ ଗାଁରେ ଗୁଣି ଗାରେଡ଼ି ବିଦ୍ୟା ଓ ଖଟ ବିଦ୍ୟା ପୁଲିସ ତରଫରୁ ହସ୍ତକ୍ଷେପ କରି ବନ୍ଦ କରିବା ପରେ ଉତ୍ତେଜନା ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିଲା । ପୁଲିସ ଏଥିରେ ହସ୍ତକ୍ଷେପ କରି ଖଦାଳ ବେହେରା ଓ ବନବାସ ବେହେରାର ପରିବାରକୁ ପ୍ରାୟ ଏକ ମାସ ସୁରକ୍ଷା ଦେଇଥିଲେ । ଧିରେ ଧିରେ ପରିସ୍ଥିତି ସୁଧୁରିବା ପରେ ଗାଁରୁ ପୁଲିସ ପ୍ରତ୍ୟାହାର ହୋଇଥିଲା । ସବୁସତ୍ୱେ ଗାଁରେ ଦୁଇ ପରିବାର ଗୋଟିଏ ଗୋଷ୍ଠୀ ହୋଇ ଚଳି ଆସୁଥିବା ବେଳେ ଅନ୍ୟ ପଟରେ ସମଗ୍ର ଗାଁର ସମସ୍ତ ପରିବାର ରହିଥିଲେ । ଅନ୍ୟ ପକ୍ଷରେ ଗତ ଦୁଇ ମାସ ପୂର୍ବେ ଖାରିପଲି ଗାଁରେ ଦୁଇଟି ବାଇକ ଓ ତିନୋଟ ସାଇକେଲ କେହି ଦୁର୍ବୃତ୍ତ ମାନେ ପୋଡ଼ି ଦେଇଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ଦିନର କୁହୁଳୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆଜି ତୀବ୍ର ରୂପ ଧାରଣ କରିଥିଲା । ଯାହାର ଫଳ ସ୍ୱରୂପ ଖାରିପଲି ଗାଁରେ ଏହି ଅଭାବନୀୟ ଘଟଣା ଘଟି ଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛିଛି ।