ବହୁ ସଂଖ୍ୟାରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରାରେ ସାମିଲ ହେବା ପାଇଁ ଅନୁରୋଧ କଲେ “ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ” କମିଟିର ସଦସ୍ୟ…
ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ରାଜ୍ୟ ସରକାର ଛତ୍ରପୁର -ଗୋପାଳପୁର ଶିଳ୍ପ କରିଡରରେ ଥିବା ଟାଟା ଓ ଆଦାନୀ ପରି ବୃହତ୍ ଘରୋଇ କମ୍ପାନୀଙ୍କ ପ୍ରକଳ୍ପଗୁଡ଼ିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଅର୍ଥାତ୍ ସୋରଡା ବ୍ଳକର ପିପଳପଙ୍କା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବାକୁ ଯାଉଛନ୍ତି । ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଥିବା ପିପଳପଙ୍କା ଠାରେ ଏହି ଡେମ୍ ନିର୍ମିତ ହୋଇ ନଦୀର ଉପର ମୁଣ୍ଡରୁ ପାଣି ଶହେ କି.ମି ଲମ୍ବ ପାଇପଲାଇନ ଯୋଗେ କମ୍ପାନୀଙ୍କୁ ଚାଲିଗଲେ ବର୍ତ୍ତମାନ ଶୁଷ୍କ ପ୍ରାୟ ଋଷିକୂଲ୍ୟା ନଦୀ ଶେଷରେ ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହୋଇ ମରିଯିବ । ସେପରି ସ୍ଥଳେ ନଦୀର ଉଭୟ ପାର୍ଶ୍ଵରେ ବସବାସ କରୁଥିବା ଶତାଧିକ ଗ୍ରାମର ଲକ୍ଷାଧିକ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ । ନଦୀରେ ଜଳ ଅଭାବରୁ ଶତାବ୍ଦୀ ପୁରୁଣା ଋଷିକୂଲ୍ୟା ଜଳସେଚନ ବ୍ୟବସ୍ଥା ପ୍ରଭାବିତ ହୋଇ ଗଞ୍ଜାମର ଚାଷ ବରବାଦ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେବେ । ଏହା ସହିତ ଋଷିକୂଲ୍ୟା ନଦୀର ପାଣି ଉପରେ ନିର୍ଭରଶୀଳ ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ, ପୁରୁଷୋତ୍ତମପୁର, ଆସିକା ଓ ଗୋପାଳପୁର ଆଦି ସହର ତଥା ଶତାଧିକ ଗ୍ରାମବାସୀଙ୍କ ଜଳ ସଙ୍କଟ ଉତ୍କଟ ହେବ । ଡେମ୍ ନିର୍ମାଣ ଫଳରେ ଗଞ୍ଜାମ ଓ କନ୍ଧମାଳ ସୀମାରେ ଥିବା ପିପଳପଙ୍କା ଅଞ୍ଚଳରେ ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଘଞ୍ଚ ଜଙ୍ଗଲ ଓ ତା’ରି ମଧ୍ୟରେ ପିଢ଼ି ପିଢ଼ି ଧରି ବସବାସ କରି ଆସୁଥିବା ୨୩ଟି ଗ୍ରାମର ଗରିବ ଆଦିବାସୀ, ଦଳିତ ଓ ଚାଷୀ ପରିବାର ସବୁଦିନ ପାଇଁ ନିଜର ଭିଟାମାଟି ହରାଇବେ । ଏଭଳି ପରିସ୍ଥିତିରେ କେବଳ ଘରୋଇ କମ୍ପାନୀଙ୍କ ସ୍ଵାର୍ଥରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଏହି ଜନବିରୋଧୀ, ପରିବେଶ ବିରୋଧି ଏବଂ ସର୍ବୋପରି ନଦୀ ବିରୋଧି ଡେମକୁ ବାତିଲ କରିବା ତଥା ସରକାରଙ୍କ ସହଯୋଗରେ ନଦୀଶଯ୍ୟାରୁ ଚାଲିଥିବା ଅବାଧ ବାଲି ଚାଲାଣକୁ ବନ୍ଦ କରିବା ଦାବିରେ “ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଦିର୍ଘ ୧୨୦ କିମି ଦୂର ଏକ ପଦଯାତ୍ରାର ଆୟୋଜନ କରାଯାଉଛି । ଆସନ୍ତା ତା. ୧୬.୦୩ ୨୦୨୫ ରିଖ ପୂର୍ବାହ୍ନ ୧୦ଟା ସମୟରେ ପିପଳପଙ୍କା ଠାରେ ଏହି ପଦଯାତ୍ରା ଆରମ ହେବ । ଋଷିକୂଲ୍ୟା ନଦୀ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି “ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା”ରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି କମିଟିର ସଦସ୍ୟ ।