ଆନ୍ତର୍ଜାତିକ ସମବାୟ ବର୍ଷ: ବ୍ରାହ୍ମଣୀଗାଁ ଲ୍ୟାମ୍ପ ସିଏସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ, ମକା ମଣ୍ଡି ପାଇଁ ଉଠିଲା ଦାବୀ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସମବାୟ ଲ୍ୟାମ୍ପ ସିଏସ ପକ୍ଷରୁ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଲ୍ୟାମ୍ପ୍ ସିଏସର ସଭାପତି ନୀଳମତି ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମବାୟ ନିରୀକ୍ଷକ ଅମିତ୍ କୁମାର ନାୟକ, ପରିଚାଳନା ନିର୍ଦ୍ଧେଶକ ଅଜିତ କୁମାର ନାୟକ, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ବୈଠକର ସରକାରଙ୍କ ଯୋଜନା ସଶକ୍ତ ସମବାୟ , ସୁଦୃଢ଼ ସମାଜ ଓ ସମୃଦ୍ଧ ଜୀବନ ଉପରେ ଆଲୋଚନା କରାଯାଇ ଥିଲା l ଏହି ଯୋଜନାରେ ଚାଷୀମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା, ନିଃଶୁଳ୍କ କୃଷି ଋଣ ବ୍ୟବସ୍ଥା, ଶତକଡ଼ା ୨ ପ୍ରତିଶତ ଶୁଦ୍ଧ ହାରରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଋଣ ପ୍ରଦାନ କରିବାର ସୁବିଧା, ନୂତନ ଚାଷୀ ପଞ୍ଜିକରଣ, ଲ୍ୟାମ୍ପରେ ଗ୍ରାହକ ସେବା କେନ୍ଦ୍ରର ସୁବିଧା ଯୋଗାଇବା ଆଦି ବିଷୟ ମାନ ଆଲୋଚନା କରାଯାଇ ଥିବା ବେଳେ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରୁ ବିଭିନ୍ନ ସମସ୍ୟା ଗୁଡ଼ିକ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା l ବିଶେଷ କରି ଏହା ଏକ ଦୁର୍ଗମ ଅଞ୍ଚଳରେ ରହୁ ଥିବାରୁ ସଠିକ ସମୟରେ ସାର ଓ ବିହନ ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ l ଏଣୁ ଚାଷୀଙ୍କୁ କଳା ବଜାରର ଶିକାର ହେବାକୁ ପଡ଼ୁଛି l ସାହୁକାରମାନଙ୍କ ଠାରୁ ଚଢ଼ା ଦରରେ ସାର ଓ ବିହନ କିଣିବାକୁ ପଡୁଛି l ଅଞ୍ଚଳରେ ମକା ଚାଷର ଚାହିଦା ବୃଦ୍ଧି ପାଉଥିବା ବେଳେ ମଣ୍ଡିରେ କେବଳ ଧାନ କିଣା ଯାଉଛି, ମଣ୍ଡିରେ ଧାନ ସହ ମକା, ହଳଦୀ ଆଦି କିଣିବାର ବ୍ୟବସ୍ଥା କରାଗଲେ ଚାଷୀମାନେ ଉଚିତ୍ ମୂଲ୍ୟରେ ବିକ୍ରୀ କରି ପାରିବେ ଓ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି l ଅନ୍ୟ ପକ୍ଷରେ ଚାଷ ଉପକରଣ ଯୋଗାଇବାରେ ଓ ଋଣ ପ୍ରଦାନ କ୍ଷେତ୍ରରେ ଅବହେଳା ହେଉ ଥିବାରୁ ଚାଷ ପ୍ରତି ଆଗ୍ରହ କମୁ ଥିବା ନେଇ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସମବାୟ ନିରୀକ୍ଷକ ଶ୍ରୀ ନାୟକଙ୍କୁ ପଚାରିବାରୁ ଏସମସ୍ତ ବିଷୟରେ ଆମେ ପ୍ରୋପାଜାଲ ପଠାଇବୁ, ତାହା ଗୃହୀତ ହେଲେ ନିଶ୍ଚୟ ଚାଷୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଆଠ ଗୋଟି ପଞ୍ଚାୟତ ର ପଞ୍ଜୀକୃତ ଚାଷୀ ମାନେ ଉପସ୍ଥିତ ଥିଲେ ।