ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା; ପୁଅ, ଭାଉଜ ଓ ସାଙ୍ଗ ଗିରଫ…

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ପଞ୍ଚାୟତ ରେଗେଇସିଂ ଗ୍ରାମର ଡାନିଏଲ୍‌ ଶବର ନାମକ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ କରାଯାଇଥିବା ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଟାସିଂ ପୁଲିସ । ଘଟଣାର ୧୮ ଦିନ ପରେ ଘଟଣାର ପର୍ଦାଫାସ କରିଛି ପୁଲିସ୍ । ଘଟଣାରେ ଅଭିଯୋଗକାରୀ ପୁଅ ଆନ୍ଦ୍ରିୟ ଶବର ହିଁ ହତ୍ୟାକାରୀ ବୋଲି ପୁଲିସ୍ ସ୍ପଷ୍ଟ କରିଛି । ହତ୍ୟାକାରୀ ଅଭିଯୁକ୍ତ ଆନ୍ଦ୍ରିୟ ଶବର ତା’ର ଭାଉଜ ଅନିତା ଶବର ଓ ଅନ୍ୟଜଣେ ସହୋଯୋଗୀ କମଳେଶ ଶବରଙ୍କ ସହ ମିଶି ହତ୍ୟା ଷଡଯନ୍ତ୍ର କରିଥିବା ପୁଲିସ କହିଛି । ଅଭିଯୁକ୍ତ ପୁଅ, ଭାଉଜ ସହ ଅନ୍ୟ ସହଯୋଗକାରୀକୁ ଗିରଫ କରିବା ସହ ଟାଙ୍ଗିଆ ଓ ଅନ୍ୟ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଛି ପୁଲିସ । ଗୁଣିଗାରେଡ଼ିକୁ ସନ୍ଦେହ କରି ଏହି ବିଭତ୍ସ ହତ୍ୟା କରାଯାଇଥିବା ବୁଧବାର ଗୁଣୁପୁର ଥାନା ପରିସରରେ ପୁଲିସ୍ ଅତିରିକ୍ତ ଏସ୍‌.ପି ଅମୁଲ୍ୟ କୁମାର ଧର ଓ ଏସଡିପିଓ ବାବୁଲି ନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସର ସୂଚନାନୁଯାୟୀ, ମୃତକ ଡାନିଏଲ୍‌ ଶବରଙ୍କ ଦୁଇଟି ପତ୍ନୀ ଥିଲେ । ପ୍ରଥମ ସ୍ତ୍ରୀର ପୁଅ ଆନ୍ଦ୍ରିୟ ତା’ର ଭାଇ ଫିଲିପ୍ ଶବରକୁ ମୃତକ ଡାନିଏଲ୍ ଗୁଣି କରି ହତ୍ୟା କରିଛି ବୋଲି ସନ୍ଦେହ କରି ପ୍ରତିଶୋଧ ପରାୟଣ ହୋଇଯାଇଥିଲା । ପରେ ସେ ତାଙ୍କ ବାପା ଡାନିଏଲକୁ ହତ୍ୟା କରିବା ପାଇଁ ଦ୍ଵିତୀୟ ପତ୍ନୀର ପୁଅର ସ୍ତ୍ରୀ ଅନିତାର ସହଯୋଗ ନେଇ ଷଡଯନ୍ତ୍ର ରଚିଥିଲା । ଯୋଜନା ପ୍ରକାରେ ଡାନିଏଲ୍ ଭୋର ସକାଳୁ ଚାଷ ବାଡକୁ ଯିବା ସମୟରେ ଆନ୍ଦ୍ରିୟ ଏକ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତାଙ୍କୁ ମାରିବା ପରେ ଅଭିଯୁକ୍ତ ଆଦ୍ରିୟ ଓ ତା’ର ଭାଉଜ ଅନିତା ଶବର, ଆନ୍ଦ୍ରିୟର ସାଙ୍ଗ କପିଳେଶ ଶବର ସହ ମିଶି ଏକ ପାହାଡ ପାଖରେ ଫୋପାଡି ଦେଇଥିଲେ ବୋଲି ପୁଲିସ କହିଛି । ପରେ ନାଟକୀୟ ଢ଼ଙ୍ଗରେ ଖୋଦ୍ ଡାନିଏଲଙ୍କ ପୁଅ ଆନ୍ଦ୍ରିୟ ଶବର ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ । ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ତଦନ୍ତ ଭାର ନେଇଥିଲେ ।