ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଅନୁସନ୍ଧାନ ଭାରତ(ବ୍ୟୁର):ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି I ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ ପ୍ରସାର କରିଥିଲେ I ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ I ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା I ପୁରୀ ଶ୍ରୀ ମନ୍ଦିର ମରାମତିରେ ମଧ୍ୟ ସହଯୋଗ କରିଥିଲେ I ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ତାଙ୍କର ଅତୁଳନୀୟ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି I ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା I ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି I ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I