ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଏକ ନୂଆ ସଂସ୍ଥା ଏହାର ପରିଚାଳନା ଦାୟିତ୍ଵ ନେଇଛି । ଏହି ସଂସ୍ଥା ପୁର୍ବରୁ କାମ କରୁଥିବା ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେଇ ନଥିବାରୁ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ବୁଧବାର ଭଞ୍ଜନଗରରେ ମଧ୍ୟ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି । କିନ୍ତୁ ଜିପିଏସ୍ ବନ୍ଦ ରଖି ରୋଗୀ ସେବା ଯୋଗାଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବରୁ ୧୦୮ ଆମ୍ବୁଲାନ୍ସର ପରିଚାଳନା ଜେଡ୍ ଏଚ୍ ଏଲ୍ ନାମକ ଏକ ସଂସ୍ଥା ନେଇଥିବା ବେଳେ ଏଥିପାଇଁ ଚାଳକ, ଫାର୍ମାସିଷ୍ଟ ଓ ଜଣ ଆଟେଣ୍ଡାଣ୍ଟ ନିୟୋଜିତ ହୋଇଥିଲେ । ହେଲେ ଏହାର ଟେଣ୍ଡର୍ ଶେଷ ହେବା ପରେ ଏମ୍ରି ଗ୍ରିନ୍ ହେଲଥ୍ ସର୍ଭିସ୍ ନାମକ ଏକ ସଂସ୍ଥା ୧୦୮ ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ଵ ନେଇଛି । କିନ୍ତୁ ଏହି ସଂସ୍ଥା ଏ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେଇନାହିଁ । ଏହି କର୍ମଚାରୀମାନେ ବହୁବର୍ଷ ହେଲା ଆମ୍ବଲାନ୍ସରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ସମସ୍ତଙ୍କୁ ନିଯୁକ୍ତି ମିଳି ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ସହ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାସିକ ଦରମା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଠିକ୍ ସମୟରେ ମିଳୁ ନଥିବା ଅଭିଯୋଗ କରିଛନ୍ତି । ପୁର୍ବରୁ ନିଯୁକ୍ତ ସମସ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ପୁରଣ ନେଇ ଭଞ୍ଜନଗରରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଦାବି ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ କିନ୍ତୁ ଜିପିଏସ୍ ବନ୍ଦ କରି ରୋଗୀ ସେବା ଯୋଗାଇ ଦିଆଯିବ ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ କହିଛନ୍ତି ।