ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଭୀତି ଭୂମି ସବଳ: ସେବା ଦୁର୍ବଳ, ୪୯ ସ୍ଥାନରେ ଅଛନ୍ତି ୧୬ ଡାକ୍ତର….

ଗୁଣପୁର(ସୁନିଲ୍ କୁମାର ସାବତ): ରାଜନୈତିକ ଇଚ୍ଛାଶକ୍ତି ହଉ କିମ୍ବା ପ୍ରଶାସନିକ ଉଦାସୀନତା ଯୋଗୁଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଖାଲି ଯେ ଡାକ୍ତର ଅଭାବ ତାହା ନୁହେଁ ବିଶେଷଜ୍ଞ ଡାକ୍ତର ସହ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଘୋର ଅଭାବ ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇପଡିଛି l ଫଳରେ ରୋଗୀ ତଥା ସ୍ଥାନୀୟ ବାସିନ୍ଦାଙ୍କୁ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ପାଲଟିଛି ରେଫରାଲ ସେଂଟର । ରାୟଗଡା ଜିଲ୍ଲାର ଦ୍ବିତୀୟ ବୃହତମ ସହର ଗୁଣପୁର ଶିଳ୍ପ ବିହୀନ ଓ ଆଦିବାସୀ ବହୁଳ ଅଞ୍ଚଳ ଗୁଣପୁର ସହରରେ ଶିକ୍ଷା ଓ ବାଣିଜ୍ୟ ଓ ଗମନା ଗମନ କ୍ଷେତ୍ରରେ ଟିକିଏ ସୁଧାର ଆସିଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଢେର ପଛରେ ରହିଥିବା ସ୍ପଷ୍ଟ ଅନୁମେୟ । ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଏହି ବ୍ଲକର ଗୁରୁତ୍ବକୁ ଉପଲବ୍ଧ କରି ୧୯୫୯ ମସିହାରେ ୨୦ ଗୋଟି ବେଡ଼କୁ ନେଇ ଆରମ୍ଭ ହୋଇଥିଲା ଗୁଣପୁର ସ୍ବାସ୍ଥ୍ୟ କେନ୍ଦ୍ର । ୧୯୮୯ ମସିହାରେ ଏହା ୩୦ ଗୋଟି ଶଜ୍ୟାରେ ପରିଣତ ହୋଇ କମ୍ୟୁନିଟି ହେଲ୍ଥ ସେଂଟର ମାନ୍ୟତା ପାଇଥିଲା । ପରବର୍ତୀ ମୂହର୍ତରେ ଅଧିକ ରୋଗୀ ସଂଖ୍ୟା ଦେଖି ତତ୍କାଳୀନ ରାଜ୍ୟ ସରକାର ୨୧-୦୫-୨୦୦୨ ମସିହାରେ ଏହି ଚିକିତ୍ସାଳୟକୁ ୭୦ ଶଜ୍ୟାକୁ ଉନ୍ନୀତ କରି ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିଲେ । “ଆମ ହସ୍ପିଟାଲ ଯୋଜନା”ରେ ରୂପାନ୍ତରୀକରଣ ହୋଇ ବାହାରୁ ଚକା ଚକ ଦିଶୁଥିବା ଏହି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇପଡିଛି । ୨୦୦୨ ମସିହାରେ ଉପଖଣ୍ଡର ମାନ୍ୟତା ପାଇଥିବା ଏହି ଚିକିଛାଳୟରେ ଡାକ୍ତର ଓ ବିଶେଷଜ୍ଞ ସଂଖ୍ୟା ବୃଦ୍ଧି ପାଇ ୪୯ ଓ ଚିକିଛାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୩ ହେଲା । କିନ୍ତୁ ପରିତାପର ବିଷୟ ସରକାରଙ୍କ ଏହି ଘୋଷଣା କାଗଜ ପତ୍ରରେ ସୀମିତ ରହିଗଲା । ଏହି ଉପଖଣ୍ଡ ଚିକିଛାଳୟରେ ୪୯ ଡାକ୍ତର ଆବଶ୍ୟକ ରହିଥିବା ବେଳେ ମାତ୍ର ୧୬ ଜଣ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀ ସେବା । ବିଶେଷଜ୍ଞ ଡାକ୍ତର କଥା ନ କହିବା ଭଲ । ସେହି ଭଳି ମ୍ୟାନେଜମେଂଟ ଷ୍ଟାଫର ମଧ୍ୟ ଘୋର ଅଭାବ ୮୩ ସ୍ଥାନରେ ରହିଛନ୍ତି ମାତ୍ର ୩୧ ଜଣ । ଏହି ଉପଖଣ୍ଡ ଚିକିଛାଳୟରେ ୫ ଗୋଟି ବ୍ଲକର ଲୋକ ତଥା ଆନ୍ଧ୍ର ଓଡ଼ିଶା ସୀମାନ୍ତ ବର୍ତି ଅଂଚଳର ଲୋକେ ନିର୍ଭର କରିଥାଆନ୍ତି । ପ୍ରତ୍ଯେକ ଦିନ ୩୦୦ ରୁ ଉର୍ଦ୍ଧ ରୋଗୀ ଏହି ଚିକିତ୍ସାଳୟକୁ ଚିକିତ୍ସା ହେବା ପାଇଁ ଆସିଥାନ୍ତି l କିନ୍ତୁ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ରୋଗୀ ବ୍ରହ୍ମପୁର, କଟକ, ଭୁବନେଶ୍ବର , ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଶ୍ରୀକାକୁଲମ ଉପରେ ନିର୍ଭର ହେବା ସହ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଢୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା l ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ଅଛି l ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ସମସ୍ଯାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ 9। ନାହିଁ ନାହିଁ ରେ ଚାଲିଥିବା ଏହି ଉପଖଣ୍ଡ ଚିକିତ୍ସାଳୟର ସମସ୍ଯା ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ନିହାରୀ ଜରୁରୀ ହୋଇପଡିଛି ।