ଅଗ୍ନିକାଣ୍ଡରେ ଜଳିଗଲା ଧାନଗଦା….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅଧୀନ ତିଳିସିଂ ପଞ୍ଚାୟତ ସାମରଡା ଗ୍ରାମରେ ଶନିବାର ନିଆଁ ଲାଗି ଦୁଇଟି ଧାନ ଗଦା ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ବର୍ତ୍ତମାନ ସମୟରେ ଧାନ ଫସଲ ଅମଳ ହୋଇ ଯାଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ଧାନ କଟା ଜୋର ସୋରରେ ଚାଲିଛି । ସାମରଡା ଗ୍ରାମର ଦିବାକର ନାଇକ ଜମିରୁ ଅମଳ କରିଥିବା ଧାନକୁ ଗଦା କରିଥିଲେ । ହେଲେ କୌଣସି କାରଣ ଯୋଗୁଁ ଶନିବାର ମଧ୍ୟାହ୍ନରେ ଉକ୍ତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା । ଖବର ପାଇ ଭଞ୍ଜନଗରରୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା ପରେ ନିଆଁ ଲିଭାଇଥିଲେ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଦିବାକରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।