ଦାରିଙ୍ଗବାଡି : (ଆଶୋକ ସିଂ): ପ୍ରଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀମାନଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି l ବିଶେଷ କରି ଗର୍ଭ ସଂଚାରଣ ଠାରୁ ପ୍ରସବ କରିବା ପର୍ୟ୍ୟନ୍ତ ଆଶା କର୍ମୀମାନେ ମହିଳାମାନଙ୍କୁ ମେଡିକାଲ୍ ନେବା, ଟୀକା କରଣ କରିବା, ପଞ୍ଜିକରଣ କରିବା, ବିଭିନ୍ନ ସର୍ବେ କରିବା ଆଦି ସରକାରୀ କାମ ଆଶାମାନଙ୍କ ଜରୀଆରେ ହୋଇଥାଏ l ଆଶା କର୍ମୀ ସଠିକ୍ ଭାବେ ଦାୟିତ୍ଵ ନ ତୁଲାଇଲେ ଗ୍ରାମବାସୀ ପ୍ରଥମିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବାରୁ ତୁରନ୍ତ ନୂତନ ଆଶା କର୍ମୀଙ୍କୁ ଚୟନ କରିବା ପାଇଁ ଦାବୀ ଉଠିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅର୍ନ୍ତଗତ କୁମ୍ଭାରୀ ଗାଁ ପଞ୍ଚାୟତ ର ଟୁଡୁ ବିଜୁ -2 କେନ୍ଦ୍ରରେ । ସୂଚନା ଅନୁଯାୟୀ ଟୁଡୁ ବିଜୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ରେ କାର୍ଯ୍ୟରତ ଆଶାକର୍ମୀ ଲକ୍ଷ୍ମୀ ବଡ଼ମାଝୀ ପ୍ରାୟ ଦୁଇବର୍ଷ ହେବ କାର୍ଯ୍ୟରେ ଅବହେଳା କରିଆସୁଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ସଠିକ ଭାବେ ଡ଼ାକ୍ତରୀ ପରୀକ୍ଷା, ଟୀକା ପ୍ରଦାନ, ମାସିକ ସର୍ଭେ ରିପୋର୍ଟ, ଗ୍ରାମବାସୀଙ୍କୁ ଥଣ୍ଡା ମ୍ୟାଲେରିଆ ଜ୍ଵର ଆଦି ବିଭିନ୍ନ ରୋଗର ଶିକାର ହେଲେ ସାଧାରଣ ଔଷଧ ବଣ୍ଟନରେ ଅବହେଳା କରୁଥିବା ନେଇ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣା କରିଥିଲେ ମଧ୍ୟ ଏହାର ଆଶୁ ସମାଧାନ ହୋଇ ପାରିନାହିଁ । ପ୍ରାୟ ଏକ ମାସ ହେବ ପିରତି ମଲ୍ଲିକ ପ୍ରସବ ବେଦନାରେ ଛଟ ପଟ ହେଉଥିବା ବେଳେ ଆଶା କର୍ମୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଅଟୋ ଯୋଗେ ମେଡ଼ିକାଲ ନେବା ବାଟରେ ସେ ପ୍ରସବ କରିଥିବା ଗ୍ରାମବାସୀ କହିଛନ୍ତି l ମାମିତ କୁମୁଟି ମାଝୀ ପାଞ୍ଚ ମାସର ଗର୍ଭ ଧାରଣ କରିଥିବା ବେଳେ ତାଙ୍କୁ ଦିନଟିଏ ପାଇଁ ମଧ୍ୟ ଆଶା ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ଯାଇନଥିବା କହିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଆଶାକର୍ମୀଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରୁ ନଥିବା ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସ୍ଥାନୀୟ ମହିଳା ସ୍ଵାସ୍ଥ୍ୟ କର୍ମୀ ମମତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଗତ ଡ଼ିସେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆଶା କର୍ମୀ ଅନୁପସ୍ଥିତ ଥିଲେ l ଏପ୍ରିଲ୍ ମାସରେ ଯୋଗ ଦେଲେ ପୁଣି ମଇ ମାସ ଠାରୁ ଆଜ ପର୍ଯ୍ୟନ୍ତ ଯୋଗାଯୋଗରେ ନାହାଁନ୍ତି ବୋଲି କହିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଅଚାନକ ଭାବେ ଆଶା କର୍ମୀ ତାଙ୍କ କାର୍ଯ୍ୟରେ ଅବହେଳା କରି ଆସୁଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।