ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ସ୍ବାମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗାଁ କୋଠ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଘଟିଛି ଏକ ଜଘ୍ୟନ୍ୟ ହତ୍ୟା କାଣ୍ଡ । ଗ୍ରାମର ଯୁଧିଷ୍ଟିର ଗୌଡଙ୍କ ପୁଅ ପଞ୍ଚାନନ ଓରଫ ପଞ୍ଚୁ  52ଙ୍କୁ ତାଙ୍କ ଗ୍ରାମର ସନ୍ତୋଷ ଗୌଡ଼, ଶିବ ଗୌଡ଼ ଓ ଶଙ୍କର ଗୌଡ଼ ହତ୍ୟା କରିଥିବା ନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଞ୍ଚାନନ ଗୌଡଙ୍କ ସ୍ତ୍ରୀ ବୁଲି ଗୌଡ଼ । ମିଳିଥିବା ବିବରଣୀ ଅନୁଯାୟୀ କୁସରାବ ଗାଁ କୋଠ ଜମିରୁ ପାଣି ହାଣିବାକୁ ନେଇ କିଛିଦିନ ଧରି ମୃତ ପଞ୍ଚାନନ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ସାତ ଘଣ୍ଟ ସମୟରେ ଗାଁ ନିକଟରେ ଥିବା କାନ୍ଦୁଲ ଘାଇ ପାହାଡ଼ ନିକଟରେ ଥିବା କୋଠ ବିଲକୁ ପାଣି ଦେଖିବା ପାଇଁ ଆସିଥିବା ପଞ୍ଚାନନ ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ବଡ ଭାଇ ମନୁ ଗୌଡ଼, ସାନ ଭାଇ ପାଣ୍ଡବ ଗୌଡ଼ ବହୁ ଖୋଜା ଖୋଜି କରି ତାଙ୍କର ପତ୍ତା ପାଇନଥିଲେ । ଭୋର ସମୟରେ ଖୋଜା ଖୋଜି ବେଳେ କୋଠ ବିଲ ଅପେଶା ନିକଟରେ ପଞ୍ଚାନନଙ୍କ ମୃତଦେହ ପଡ଼ିଥିବା ଦେଖି ଧରାକୋଟ ପୁଲିସକୁ ଖବର ଦେଇଥିଲେ । ପାରିପାର୍ଶ୍ବିକ ସ୍ଥିତିରୁ ଯାହା ସ୍ପଷ୍ଟ ଅନୁମାନ କରାଯାଉଛି ଯେ ମୃତକଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ଧସ୍ତା ଧସ୍ତି ହୋଇଥିବା ବେଳେ ନିକଟରେ ଏକାଧିକ ଠେଙ୍ଗା ବାଡି ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ ମହାପାତ୍ର, ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଏଏସଆଇ ଅଭିମନ୍ୟୁ ପାଣ୍ଡେ, ଅନିଲ ଶବର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଧରାକୋଟ ଥାନାରେ କେସ ନମ୍ବର 357/24 ପ୍ରକାରେ ମାମଲା ରୁଜୁ ହୋଇଛି । ସାଇଣ୍ଟଫିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଯାଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଏଥିରେ ସମସ୍ତ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରକାଶ କରିଛନ୍ତି ।