ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା: ସରକାରୀ ଦାଇତ୍ୱହୀନତାର ନଗ୍ନ ନମୁନା, ମାଣ୍ଡିପଙ୍କାରେ ବାମପନ୍ଥୀ ଦଳ ପ୍ରତିନିଧି ମଣ୍ଡଳୀ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲିର ଯାଉ ଖାଇ ଦୁଇ ଜଣ ମହିଳାଙ୍କର ମୁର୍ତ୍ୟୁ ହୋଇଥିବା ବେଳେ 6 ଜଣ ଚିକିତ୍ସାଧୀନ ଅଛନ୍ତି l ଗତକାଲି ଠାରୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସିପିଆଇ ଏବଂ ସିପିଆଇ (ଏମ. ଏଲ ) ଲିବରେସନ ଦଳର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧିମଣ୍ଡଳୀ ସର୍ବଶ୍ରୀ ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ (ଏମ. ଏଲ ) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଆଦିବାସୀ ମହାସଭାର ନେତା ତିରୁପତି ଗମାଙ୍ଗ, ଅଲ ଇଣ୍ଡିଆ ସ୍ତୁଡେଣ୍ଟସ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ, ଛାତ୍ରନେତା ରାଜୁ ମାଡକାମୀ ପ୍ରମୁଖଙ୍କ ନେତୃତ୍ୱରେ ଗତକାଲି ବ୍ରହ୍ମପୁରସ୍ଥ MKCG ମେଡିକାଲକୁ ଯାଇ ଚିକିତ୍ସାଧୀନ ମହିଳାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ I ଆଜି ଏହି ପ୍ରତିନିଧିମଣ୍ଡଳୀ ମାଣ୍ଡିପଙ୍କା ଗ୍ରାମକୁ ଯାଇ କ୍ଷତିଗସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ l
ଗତ ଚାରି ମାସ ଧରି ମାଣ୍ଡି ପଙ୍କା ଗ୍ରାମବାସୀଙ୍କୁ ପୀଡ଼ିଏସ ଚାଉଳ ମିଳିନଥିବା ଏବଂ ସେମାନଙ୍କ ପାଖରେ ଖାଦ୍ୟ ଶସ୍ୟର ଅଭାବ ଯୋଗୁଁ ସେମାନେ ଆମ୍ବ କୋଇଲି ଯାଉ ଖାଇବାକୁ ବାଧ୍ୟ ହେଲେ ବୋଲି ଗ୍ରାମବାସୀମାନେ ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ପ୍ରକାଶ କରିଥିଲେ l ଯାଉ ଖାଇ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସ୍ଥାନୀୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସତ୍ୱେ ସେଠାରେ ସ୍ୱାସ୍ଥ୍ୟ ଭିତିଭୂମି ର ଅଭାବ ହେତୁ ସଠିକ ସମୟରେ ଚିକିତ୍ସା ହୋଇନପାରି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମୁର୍ତ୍ୟୁ ବରଣ କରିଥିଲେ l ଅନ୍ୟମାନଙ୍କୁ ଏମକେସିଜି ମେଡିକାଲକୁ ନିଆଯାଇ ଚିକିତ୍ସା କରାଗଲା l ସ୍ୱାଧୀନତାର ସାତ ଦଶନ୍ଧୀ ପରେ ମଧ୍ୟ ମାଣ୍ଡିପଙ୍କା ଗ୍ରାମ ଓ ଆଖପାଖ ଅଂଚଳରେ ଟେଲିଫୋନ ଟାୱାର ନଥିବା କାରଣରୁ 108 ଆମ୍ବୁଲାନ୍ସକୁ ମଧ୍ୟ ସଠିକ ସମୟରେ ଡକାଯାଇ ଚିକିତ୍ସା ପାଇଁ ଡାକ୍ତରଖାନା କୁ ନିଆଯାଇ ପାରିନାହିଁ ବୋଲି ଗ୍ରାମବାସୀମାନେ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ l ଘଟଣାର ଚାରିଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧି ଘଟଣା ଘଟିଥିବା ମାଣ୍ଡିପଙ୍କା ଗ୍ରାମକୁ ଯାଇ ନଥିବା ଗ୍ରାମବାସୀମାନେ ଜଣାଇଥିଲେ l ସବୁ ବିଷୟ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଘଟଣା ପାଇଁ ଦାୟି ବୋଲି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି l ତୁରନ୍ତ ମୁର୍ତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହିତ ୱାର୍ଡ ମେମ୍ବରମାନଙ୍କ ଜରିଆରେ ତୁରନ୍ତ ପୀଡ଼ିଏସ ଚାଉଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି l ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରି ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରିବା ସହ ପ୍ରତ୍ୟେକ ପଂଚାୟତରେ ଟେଲିଫୋନ ଟାୱାର ସ୍ଥାପନ କରାଇ ଟେଲିଯୋଗାଯୋଗକୁ ଶୁଦ୍ଧୃଢ କରିବାକୁ ପ୍ରତିନିଧିମଣ୍ଡଳୀ ପକ୍ଷରୁ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବୀ କରିଛନ୍ତି l